ହିଟଲରର ଇହୁଦୀ ଧ୍ବଂସ ଯୋଜନା ବିଷୟରେ କାହାକୁ ବା ଅଗୋଚର? ସେହି ସମୟରେ ହିଟଲର ଯାତନା ଶିବିରରେ କାଳ କାଟିଥିବା ଫ୍ରାଙ୍କେଲ ନାମକ ଜଣେ ଇହୁଦୀଙ୍କ ଡାଏରି ବିଶେଷ ପ୍ରଣିଧାନଯୋଗ୍ୟ।
ଫ୍ରାଙ୍କେଲ ଲେଖିଛନ୍ତି: ଶୀତ ଦିନ ଆସିଗଲା। ଯାତନା ଶିବିରର ଅସ୍ବାସ୍ଥ୍ୟକର ପରିବେଶ, ଅସହନୀୟ ଖଟଣି, ଜୁଲମ ଏବଂ ସେମାନଙ୍କ ମଧ୍ୟରୁ ଦଳ ଦଳ କରି ଗ୍ୟାସ ଚ୍ୟାମ୍ବରକୁ ନିଆଯିବାର ଧାରା ଚାଲିଥିଲେ ମଧ୍ୟ ଅନ୍ତେବାସୀମାନଙ୍କ ଆଶା ଥାଏ ଯେ ବଡ଼ ଦିନ ଆସିଲେ ହିଟଲର ସେମାନଙ୍କୁ ହୁଏତ ମୁକ୍ତ କରିଦେବ। ହୁଏତ ଯୀଶୁ ହିଟଲର ହୃଦୟରେ କରୁଣାର ଧାରଟିଏ ଝରାଇ ଦେବେ। ସମସ୍ତେ ସେହି ଦିନକୁ ଅପେକ୍ଷା କରି ରହିଲେ।
ବଡ଼ ଦିନ ଆସିଲା ଓ ଚାଲିଗଲା। ହିଟଲର ପକ୍ଷରୁ କୌଣସି ସୁସମ୍ବାଦ ମିଳିଲା ନାହିଁ। ଫ୍ରାଙ୍କେଲ ଲେଖିଛନ୍ତି- ‌ସମସ୍ତ ଆଶା ତୁଟିଗଲା। ଏବେ ଯାତନା ଶିବିରରେ ଲୋକେ ମରିବାକୁ ଲାଗିଲେ। ଆଗରୁ ଏଭଳି ଅତ୍ୟାଚାର ସହି ଯେଉଁମାନେ ରୋଗଗ୍ରସ୍ତ ହୋଇ ସୁଦ୍ଧା ବଞ୍ଚି ରହିଥିଲେ, ସେମାନେ ଶୀଘ୍ର ଆଖି ବୁଜିଲେ।
ଫ୍ରାଙ୍କେଲ ଲେଖିଛନ୍ତି ଯେ ଆଶା ହେଉଛି ଏଭଳି ଏକ ଆଶୀର୍ବାଦ, ଯାହା ମନୁଷ୍ୟକୁ ସମସ୍ତ ପ୍ରତିକୂଳତାରେ ବି ଦିଗ ଦେଖାଇଥାଏ। ସେଥି ଲାଗି ଆଶା କେବେ ସରେନା। କିନ୍ତୁ ଯେତେବେଳେ ସରିଯାଏ, ମଣିଷ ମରିଯାଏ।