ମୁଲ୍ଲା ନସିରୁଦ୍ଦିନ ଥରେ ତାଙ୍କ ଘର ବାରଣ୍ଡାରେ ବସି ଢୁଳାଉଥିବା ବେଳେ ଛୋଟ ଛୁଆର କାନ୍ଦରେ ତାଙ୍କ ନିଦ ଭାଙ୍ଗିଗଲା। ସେ ଦେଖିଲେ ଯେ ପଡ଼ୋଶୀ ଫଜଲୁ ତା’ର ଛୋଟ ପୁଅକୁ ପିଟି ଚାଲିଛି!
ମୁଲ୍ଲା ହାଁ ହାଁ କରି ଫଜଲୁକୁ ଅଟକାଇଲେ। ପିଲାଟି ଦୌଡ଼ି ପଳାଇଗଲା।
ଫଜଲୁ କହିଲା- ଏ କ’ଣ କଲ? ପିଲାଟାକୁ ପାନେ ଦେବାର ଥିଲା! ଏତେ ଛୋଟ ଛୁଆ, ଅଥଚ ଏମିତି କଥା କହୁଛି! ହାଡ଼ ଜଳି ଯାଉଛି! ଶୁଣ ମୁଲ୍ଲା, ପିଲାଙ୍କୁ ଛୋଟରୁ ଶାସନ ନ କଲେ ‌ସେମାନେ ଭୁଲ୍‌ କରି ଚାଲିବେ।’
ମୁଲ୍ଲା କହିଲେ- ଫଜଲୁ, ତୁ ଯେଉଁ ଭୁଲ୍‌ଟି କରୁଛୁ, ତା’ ବିଷୟରେ କେବେ ଭାବିଛୁ?
ଫଜଲୁ କହିଲା- ମୁଁ ପୁଣି ଭୁଲ୍‌ କଲି? ଏବେ କୁହନା ଯେ ପୁଅକୁ ପିଟିବା ହେଉଛି ମୋର ଭୁଲ୍‌!
ମୁଲ୍ଲା କହିଲେ- ତୋର ଭୁଲଟି ହେଲା, ତୁ ଛୋଟକୁ ସବୁ ବେଳେ ଛୋଟ ମଣୁଛୁ। କିନ୍ତୁ ବାବୁ, ଛୋଟ ସବୁ ଦିନ ‌େଛାଟ ହୋଇ ରହିବ ନାହିଁ! ଦିନେ ସେ ବଡ଼ ହେବ।
ଫଜଲୁ ଏବେ ଟିକିଏ ଶାନ୍ତ ଦିଶିଲା। ସେ ମୁଲ୍ଲାଙ୍କୁ ପଚାରିଲା- ତା’ ମାନେ?
ମୁଲ୍ଲା କହିଲେ- ଏହାର ମାନେ ବୁଝି ପାରୁନୁ? ଆମ ଗାଁର ବୁଢ଼ାମାନଙ୍କୁ ଦେଖୁଛୁ ତ? ସେମାନେ ଏବେ ବୁଝି ସାରିଲେଣି ଯେ ଛୋଟ ସବୁ ଦିନ ଛୋଟ ହୋଇ ରହେନା। ବଡ଼ ହୋଇଯାଏ। ଏବେ ସେମାନେ ଭାବୁଛନ୍ତି ଯେ ପିଲାକୁ ସ୍ନେହ କରି ଭଲ ଭାବେ ବୁଝାଇଥିଲେ ଅବା ଭଲ ‌େହାଇଥାଆନ୍ତା! ଏବେ ତାକୁ ସୁଧାରିବା ଆଗରୁ ତୁ ନିଜେ ସୁଧୁରି ଯାଆ।