ଥରେ ମା’ ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କୁ ବର ମାଗିଲେ। ଭଗବାନ କହିଲେ, ‘ତୁମେ ଯାହା ଚାହୁଁଛ ମାଗ’।
ମା’ ଲକ୍ଷ୍ମୀ କହିଲେ- ମୁଁ ହେଉଛି ଧନ ଓ ସମୃଦ୍ଧିର ଦେବୀ। ତେଣୁ ମୋତେ ଏମିତି ବର ଦିଅନ୍ତୁ ଯେମିତି ମୁଁ ଯାହା ଉପରେ ପ୍ରସନ୍ନ ହେବି, ସେ ସମୃଦ୍ଧ ହେବ।
ଭଗବାନ କହିଲେ- ତଥାସ୍ତୁ। କିନ୍ତୁ ଗୋଟିଏ ସର୍ତ୍ତ ରହିବ। ତାହା ହେଲା, ମୁଁ ଯେ‌େତବେଳେ ଚାହିଁବି ସେହି ବ୍ୟକ୍ତି ଠାରୁ ତାହା ଫେରାଇ ଆଣି ପାରିବି।
ମା’ ଲକ୍ଷ୍ମୀ ପ୍ରତିବାଦ କରି କହିଲେ- ଆପଣ ଏ କି ବିଚାର କରୁଛନ୍ତି। କିଛି ଦିନ ଆଗରୁ ସରସ୍ବତୀଙ୍କୁ ବି ଆପଣ ବର ଦେଲେ ଯେ ସେ ଯାହା ଉପରେ ପ୍ରସନ୍ନ ହେବେ, ସେ ମଧ୍ୟ ସମୃଦ୍ଧ ହେବ। ଅଥଚ, ଆପଣ କାହିଁ ତ ତାଙ୍କ ସହିତ ଏଭଳି ସର୍ତ୍ତ ରଖି ନାହାନ୍ତି।
ଭଗବାନ କହିଲେ- ତୁମେ ଯଦି ଚାହଁ, ସରସ୍ବତୀଙ୍କ ଭଳି ବର ନେଇ ପାର। କିନ୍ତୁ ଭାବି ଦେଖ ସରସ୍ବତୀଙ୍କ ଆଶୀର୍ବାଦରୁ ଜ୍ଞାନ, ବିଦ୍ୟା ଓ କଳାରେ ସମୃଦ୍ଧ ବ୍ୟକ୍ତି ଯେମିତି କାଳାତିପାତ କରୁଛନ୍ତି, ତୁମ ଭକ୍ତମାନେ ସେମିତି କାଳ କାଟିଲେ ତୁମର କୌଣସି ଆପତ୍ତି ନାହିଁ ତ?
ମା’ ଲକ୍ଷ୍ମୀ ଦେଖିଲେ ଯେ ସତ କଥା। ସରସ୍ବତୀଙ୍କ ଭକ୍ତମାନେ ଧନାର୍ଜନ କରି ପାରୁ ନାହାନ୍ତି। ପଣ୍ଡିତ ବା କଳାକାର ହେଉଛନ୍ତି, କିନ୍ତୁ ଦାରିଦ୍ର୍ୟ ଭିତରେ ରହୁଛନ୍ତି। ତେଣୁ ସେ ସେଭଳି ବର ଚାହିଁଲେ ନାହିଁ ଏବଂ ନିଜ ବରକୁ ନେଇ ଚାଲିଗଲେ।
ତା’ ପର ଠାରୁ ତାହା ହୋଇ ଚାଲିଛି। ଲକ୍ଷ୍ମୀଙ୍କ ଭକ୍ତମାନେ ଆଜି ଯେ ରା‌ଜେନ୍ଦ୍ରାସନେ କାଲି ସେ ଫକିର ହେଉଥିବା ବେଳକୁ ସରସ୍ବତୀଙ୍କ ଭକ୍ତମାନଙ୍କ ଠାରୁ ସେମାନଙ୍କ ବିଭବ କେହି ହରଣ କରି ପାରୁ ନାହାନ୍ତି। ସରସ୍ବତୀଙ୍କ ଭକ୍ତମାନଙ୍କ ଯଶ ଚତୁର୍ଦିଗରେ ବ୍ୟାପୁଛି। ସେମାନେ ସର୍ବତ୍ର ସ୍ନେହ ଓ ଭକ୍ତି ପାଉଛନ୍ତି। ବଡ଼ କଥା ହେଲା ସେମାନଙ୍କ ଭିତରୁ ଅଧିକାଂଶ ବିଭବ ପ୍ରତି ଉଦାସୀନ। ସେମାନେ ନିଜ କଳାରେ ନିମଜ୍ଜିତ ରହି ଆନନ୍ଦରେ କାଳାତିପାତ କରୁଛନ୍ତି।