ଜ‌େଣ ଅତି ପରୋପକାରୀ ବ୍ୟକ୍ତି ଥିଲେ। ଅନ୍ୟମାନଙ୍କ ଲାଗି ସେ ବହୁତ କିଛି କରୁଥିଲେ। କିନ୍ତୁ ତାଙ୍କର ଆର୍ଥିକ ସ୍ଥିତି ଦୟନୀୟ ଥିଲା। ଢୋକେ ପିଇ ଦଣ୍ତେ ଜିଇବା ଭଳି ଅବସ୍ଥା।
ଏ କଥା ଦେଖି ଜଣେ ବ୍ୟକ୍ତି ତାଙ୍କୁ ପଚାରିଲେ- ଆପଣ ଏତେ କଷ୍ଟ ସହି ପରୋପକାର କରୁଛନ୍ତି। ଭଗବାନଙ୍କ ଉପରେ ଆପଣଙ୍କ ଭରସା ଅଛି ନା ତୁଟି ଗଲାଣି।
ସେ କହିଲେ- ଭରସା ଅଛି ଏବଂ ତାହା ତୁଟିବାର ନୁହେଁ। ଅବଶ୍ୟ, ଭଗବାନ ମୋ କଥା ବୁଝୁଛନ୍ତି ବୋଲି ବୁଝିବା ଲାଗି ମୋତେ ସମୟ ଲାଗିଲା। ଦିନେ ମୁଁ ବି ଆପଣଙ୍କ ଭଳି ଭାବୁଥିଲି। ଥରେ ଜଣେ ଲୋକ ରୋଷେଇ କରିବ ବୋଲି କାଠ କିଣି ଆଣିଲା। କିନ୍ତୁ କାଠ ବିକ୍ରେତା ତାକୁ କଞ୍ଚା କାଠ ବିକି ଦେଇଥିଲା। ତେଣୁ ତାକୁ ଜାଳିଲା ବେଳେ ପ୍ରବଳ ଧୂଆଁ ହେଲା। ରୋଷେଇ ଭଲ ହେଲା ନାହିଁ। ଶାନ୍ତିରେ ଖାଇ ପାରିଲା ନାହିଁ। ପର ଦିନ ବଜାରରୁ ସେ ଶୁଖିଲା କାଠ ବାଛି କରି କିଣିଲା। ଶୁଖିଲା କାଠରେ ବଢ଼ିଆ ରୋଷେଇ ହେଲା। ରନ୍ଧା ସରିବା ପରେ ଚୁଲି ସଫା କଲା ବେଳକୁ ଦେଖିଲା କେବଳ ପାଉଁଶ। କାଠର ସତ୍ତା ନାହିଁ। ପୂର୍ବ ଦିନ କିନ୍ତୁ ଚୁଲିରୁ ଅଧା ପୋଡ଼ା କାଠ ବାହାର କରିଥିଲା।
ଏ କଥାଟିରେ ଆପଣ ଯାହା ପଚାରିଛନ୍ତି, ତା’ର ଉତ୍ତର ଅଛି। ଦିନେ ମୁଁ ହୁଏତ ଆପଣଙ୍କ ଭଳି ଭାବୁଥିଲି। ସେଇ ସମୟରେ ମୁଁ କଞ୍ଚା କାଠ ଥିିଲି। ଜଳୁଥିଲି, କିନ୍ତୁ ପୂରା ନୁହେଁ। ମୋ ଚୈତନ୍ୟ ଧୂଆଁରେ ରୁନ୍ଧି ହୋଇ ଯାଉଥିଲା। ଜଳିଲା ପରେ ବି ଦରପୋଡ଼ା ହୋଇ ରହିଯାଉଥିଲି। ଶାନ୍ତି ନ ଥିଲା, କଷ୍ଟ ପାଉଥିଲି। ସେହି ସମୟରେ ମୁଁ ଈଶ୍ବରଙ୍କୁ ଦୋଷ ଦେଉଥିଲି। ଭାବୁଥିଲି ମୋ ଇଚ୍ଛା ମୁତାବକ ସବୁ କିଛି ଘଟୁନାହିଁ କାହିଁକି? କିନ୍ତୁ ପରେ ଅସଲ ତତ୍ତ୍ବ ବୁଝିବା ପରେ ମୁଁ ଶୁଖିଲା କାଠ ଭଳି ନିଜ ସତ୍ତା ହରାଇ ପାଉଁଶ ହେବା ଭଳି ଜଳୁଛି। ଏବେ ଜାଣୁଛି ଯେ ସବୁ କିଛି ଘଟୁଛି ଈଶ୍ବରଙ୍କ ଇଚ୍ଛାରେ। ସେଥିରେ ମୁଁ ମୋ ନିଜ ଇଚ୍ଛାକୁ ଗୁରୁତ୍ବ ଦେଇ ଅଧା କଞ୍ଚା କାଠ ହୋଇ ରହିବି କାହିଁକି? ସେହି ଦିନ ଠାରୁ ମୋର କୌଣସି ଅଭିଯୋଗ ନାହିଁ।