ଜଣେ ଛାତ୍ର ସର୍ବଦା କ୍ଲାସ୍‌ ଆରମ୍ଭ ହେବାର ମିନିଟିଏ ବା ଦୁଇ ମିନିଟ୍‌ ଡେରିରେ ପହଞ୍ଚୁଥିଲା। ସେଥି ଲାଗି ଶ୍ରେଣୀ ଶିକ୍ଷକ ଭୀଷଣ ବିରକ୍ତ ହେଉଥିଲେ।
ଦିନେ ପିଲାଟି କହିଲା- ସାର‌୍‌, ମୁଁ ତ ମାତ୍ର ମିନିଟିଏ ଡେରିରେ ପହଞ୍ଚିଲି, ଆପଣ କାହିଁକି ମୋ ଉପରେ ଏତେ ବିରକ୍ତ ହେଉଛନ୍ତି?
ଶିକ୍ଷକ କହିଲେ- ମିନିଟିଏ ସମୟ ଡେରି ହେବାକୁ ବରଦାସ୍ତ କରିହେବନାହିଁ। କାରଣ ଏତିକି ସମୟ ବି ବହୁତ ମୂଲ୍ୟବାନ। ସେ ଦିନ ସାର‌୍‌ ତାକୁ ଶ୍ରେଣୀରେ ବସିବାକୁ ନ ଦେଇ ଘରକୁ ପଠାଇ ଦେଲେ। କିନ୍ତୁ ଏହା ଦ୍ବାରା ସମସ୍ୟା ହେଲା ଯେ ଛାତ୍ରର ବାପା ସ୍କୁଲ ପ୍ରଧାନ ଶିକ୍ଷକଙ୍କ ପାଖରେ ଏ ନେଇ ଅଭିଯୋଗ କଲେ ଯେ ମାତ୍ର ଗୋଟିଏ ମିନିଟ ଡେରିରେ ପହଞ୍ଚିବା ହେତୁ ପିଲାକୁ ଶ୍ରେଣୀ ଶିକ୍ଷକ ବିଦା କରି ଦେଇଛନ୍ତି। ପ୍ରଧାନ ଶିକ୍ଷକ ଶ୍ରେଣୀ ଶିକ୍ଷକଙ୍କୁ ଡାକି ଏଭଳି କଡ଼ା ନ ହେବାକୁ ପରାମର୍ଶ ଦେଲେ ଏବ˚ ପିଲାଟି ତା’ର ମିନିଟିଏ ବା ଦୁଇ ମିନିଟ୍‌ ବିଳମ୍ବ କରିବାର ସ୍ବଭାବ ନେଇ ବଢ଼ିଲା।
ଅନେକ ବର୍ଷ ବିତିଗଲା। ଏକଦା ଅକସ୍ମାତ୍‌ ସେଇ ଶ୍ରେଣୀ ଶିକ୍ଷକଙ୍କ ସହିତ ପିଲାଟିର ଭେଟ ହେଲା। ପିଲାଟି ସେତେବେଳକୁ ଉତ୍ତର ଯୌବନରେ ଏବ˚ ଅବିନ୍ୟସ୍ତ ଦିଶୁଥାଏ। ସାର‌୍‌ଙ୍କୁ ଦେଖି ସେ କାନ୍ଦି ପକାଇ କହିଲା- ସାର‌୍‌ ଆପଣ ଠିକ୍‌ କହୁଥିଲେ। ଗୋଟିଏ ମିନିଟ୍‌ ବି କିଛି କମ୍‌ ସମୟ ନୁହେଁ।
ସାର‌୍‌ ତା’ର ହାତ ଧରି ପକାଇ ତା’ ମନ କଷ୍ଟର କାରଣ ଜାଣିବାକୁ ଚାହାନ୍ତେ ସେ କହିଲା- ସାର‌୍‌ ମୁଁ ଆଜି ବେକାର। ମୋ ପାଖରେ ଚାକିରି ନାହିଁ। ବ୍ୟବସାୟରେ ବି ମୁଁ ବିଫଳ। ଅଳ୍ପ ସମୟ ବିଳମ୍ବରେ ପହଞ୍ଚିଲି ବୋଲି ଠିକଣା ହୋଇଥିବା ଚାକିରି ହରାଇଲି। ତାହା ଅନ୍ୟ ଜଣଙ୍କ ପାଖକୁ ଚାଲିଗଲା। ମୁଁ ଆଜି ବୁଝୁଛି ମିନିଟିଏ ସମୟକୁ ମାତ୍ର ବୋଲି କହିହେବ ନାହିଁ। କାରଣ ଏହା ବିଳମ୍ବ କରିବାର ଅଭ୍ୟାସକୁ ଜନ୍ମ ଦେଇଥାଏ। ମିନିଟିଏ ବିଳମ୍ବ କରିବାର ଅଭ୍ୟାସ ପିଲା ଦିନରୁ ରହିଯିବାରୁ ଲକ୍ଷ୍ୟ ବା ଉଦ୍ଦେଶ୍ୟ ସାଧନ କରିବାରେ ବିଳମ୍ବ ଘଟି ଚାଲିଛି।
ଶିକ୍ଷକ କହିଲେ- ଏବେ ଯଦି ବୁଝିଗଲଣି, ତେବେ ତାହାକୁ ସୁଧାରି ନିଅ। ଏବେ ବି ସମୟ ଅଛି। କିନ୍ତୁ ତାକୁ ନ ସୁଧାରି କେବଳ ଭୁଲ୍‌ ହୋଇଗଲା ବୋଲି ଯଦି ବାହୁନି ଚାଲିବ, ତେବେ ତାହା ମଧ୍ୟ ଆଉ ଏକ ଖରାପ ଅଭ୍ୟାସକୁ ଜନ୍ମ ଦେବ। ତୁମେ ବିଳମ୍ବ କରି ଚାଲିବ ଏବଂ ସେଥି ଲାଗି ଅନୁତାପ କରି ଚାଲିବ। କିଛି ଲାଭ ହେବ ନାହିଁ।