ଗୋଟିଏ ସହରରେ ରହୁଥିଲେ ଜଣେ ବିଦ୍ବାନ। ତାଙ୍କର ସ˚ପତ୍ତି ବୋଇଲେ ଥିଲା କେବଳ କିଛି ଅତି ପ୍ରାଚୀନ ପୋଥି। ସେଗୁଡ଼ିକ ତାଙ୍କର ଏତେ ପ୍ରିୟ ଥିଲା ଯେ ସେ ସବୁକୁ ସେ ନିଜ ପାଖରେ ରଖୁଥିଲେ। କାଳେ ଦୁର୍ମୂଲ୍ୟବାନ ପୋଥିଗୁଡ଼ିକୁ କିଏ ନେଇଯିବ, ସେଥି ଲାଗି ସେ ସବୁ ବେଳେ ଉଦ୍‌ବିଗ୍ନ ହୋଇ ରହୁଥିଲେ।
ବାହାରକୁ ଗଲେ ତାଙ୍କ ଘରକୁ ଭଲ ଭାବେ ବନ୍ଦ କରି ତାଲା ପକାଇ ଯାଉଥିଲେ।
ତେବେ ବିଧିର ବିଧାନ ବଡ଼ ବିଚିତ୍ର। ଥରେ ପୋଥି ରହିଥିବା ଘରେ ନିଆଁ ଲାଗିଗଲା। ଶୁଖିଲା ପୋଥି ତକ ନିମିଷକେ ନିଆଁରେ ପୋଡ଼ି ପାଉଁଶ ହୋଇଗଲେ।
ଏମିତି ଅବସ୍ଥା ଦେଖି ବିଦ୍ବାନ ମୂର୍ଚ୍ଛା ଗଲେ। ଅନେକ ମାସ ଯାଏ ସେ ବିଳାପ କଲେ ଓ ଘୋର ବିଷାଦଗ୍ରସ୍ତ ହୋଇ ମୁହଁ ଶୁଖାଇ ବସିଲେ ବା ଶୋଇ ରହିଲେ। ତେବେ ସମୟ ତ ସବୁ କିଛି ଫିକା କରିଦିଏ। ଅନେକ ମାସ ପରେ ସେ ପ୍ରକୃତିସ୍ଥ ହେଲେ। ଏବେ ସେ ଆଉ ତାଙ୍କ ଘରେ ତାଲା ପକାଇଲେ ନାହିଁ। ତାଙ୍କୁ ଲାଗିଲା ସେ ଯେମିତି ଅଧିକ ମୁକ୍ତ ହୋଇ ଯାଇଛନ୍ତି।
ଦିନେ ଜଣେ ବନ୍ଧୁ ପଚାରିଲେ- ଏବେ ଦରଜା ମେଲା ରଖି ଆପଣ ବାହାରକୁ ଚାଲିଯାଉଛନ୍ତି? ଘର ଭିତରକୁ ଯଦି କିଏ ପଶି କିଛି ଚୋରି କରେ, ତେବେ?
ସେ କହିଲେ- ପୋଥିଗୁଡ଼ିକ ଥିଲା ତ ଚୋରିର ଭୟ ଥିଲା। ତାହା ଚାଲିଯିବା ସହିତ ଭୟ ଓ ଉଦ୍‌ବେଗ ସବୁ ଚାଲିଗଲା। ଏବେ ଆଉ ତାଲା ପକାଇବି କାହିଁକି?
କଥା ହେଲା, ଯାହା ପ୍ରତି ମାତ୍ରାଧିକ ଆସକ୍ତି ଓ ଭଲ ପାଇବା ଥାଏ, ତାକୁ ହରାଇବାର ଭୟ ମଧୢ ଥାଏ। ତେଣୁ ଭୟ ବା ଉଦ୍‌ବେଗରୁ ମୁକ୍ତ ହେବାକୁ ହେଲେ ପ୍ରଥମେ ଅନେକ ଦ୍ରବ୍ୟରୁ ଆସକ୍ତି ଦୂର କରିବାକୁ ହେବ। କାରଣ କିଛି ପାଇବା ବା ପାଖରେ ରଖିବାର ଆନନ୍ଦ ସହିତ ତାକୁ ହରାଇବାର ଭୟ ବା ଉଦ୍‌ବେଗର ଉଭୟ ହାତ ଧରାଧରି ହୋଇ ଆସିଥାନ୍ତି।