ବ୍ୟବସାୟ ବୁଦ୍ଧି

କଥାଟିଏ-ଯାଯାବର

ଜଣେ ବ୍ୟବସାୟୀ ତାଙ୍କ କାରବାର ଚଳାଇବାକୁ ଯାଇ କର୍ମଚାରୀମାନଙ୍କୁ ସର୍ବଦା ଜଗି ରହୁଥିଲେ। କର୍ମଚାରୀମାନେ ତାଙ୍କୁ ଭୀଷଣ ଭୟ କରୁଥିଲେ। ବ୍ୟବସାୟୀ ଭାବୁଥିଲେ ଏମିତି ନ ହେଲେ ବ୍ୟବସାୟ ଚାଲିପାରିବ ନାହିଁ। ତାଙ୍କ ବ୍ୟବସାୟ ଯଦିଓ ଚାଲୁଥିଲା, ସେଇ ସମାନ ବ୍ୟବସାୟ କରୁଥିବା ତାଙ୍କର ଜଣେ ବନ୍ଧୁଙ୍କ କାରବାର ତାଙ୍କ ଠାରୁ ଢେର ଭଲ ଚାଲୁଥିଲା। ତେଣୁ ସେ ବନ୍ଧୁଙ୍କ ବ୍ୟବସାୟ ପ୍ରତିଷ୍ଠାନକୁ ଯାଇ ସେଠି କାମ କେମିତି ଚାଲିଛି ତାହା ଦେଖିବାକୁ ଇଚ୍ଛା କଲେ।
ଦିନେ ସେ ସେଠାକୁ ଗଲେ। ବ୍ୟବସାୟ ପ୍ରତିଷ୍ଠାନ ଖୋଲା ହୋଇଯାଇଥିଲା। କର୍ମଚାରୀମାନେ କାମ କରୁଥିଲେ। କିନ୍ତୁ ପରିବେଶ ହାଲୁକା ଥିଲା। ସେ ପର୍ଯ୍ୟନ୍ତ ମାଲିକ ଆସି ନ ଥିଲେ। ବ୍ୟବସାୟୀ ଅତିଥି ପ୍ରକୋଷ୍ଠରେ ବସି ବନ୍ଧୁଙ୍କୁ ଅପେକ୍ଷା କଲେ। କର୍ମଚାରୀମାନେ ଏମିତି ହସଖୁସିରେ କାମ କରୁଥିବା ବେଳେ ବ୍ୟବସାୟ କେମିତି ଏତେ ଭଲ ଚାଲିଛି ବୋଲି ସେ ମନକୁ ମନ ପଚାରୁଥିଲେ।
ଏଇ ସମୟରେ ମାଲିକ ଆସିଗଲେ। ମାଲିକ ନିରବରେ ନିଜ ପ୍ରକୋଷ୍ଠରେ ପଶିଗଲେ। ସେ ଆସିଲେ ବୋଲି କେହି ଡରି ଗଲେ ନାହିଁ। ତାଙ୍କୁ ଶ୍ରଦ୍ଧାପୂର୍ବକ ହସହସ ମୁହଁରେ ଅଭିବାଦନ ଜଣାଇଲେ। ଲାଗିଲା ସତେ ଯେମିତି କର୍ତ୍ତା ଆସିଗଲେ ଓ ଏଣିକି ସେମାନେ ନିର୍ଭୟରେ କାମ କରି ପାରିବେ।
ସାକ୍ଷାତ କାଳରେ ବନ୍ଧୁ ପଚାରିଲେ- ତୁମ କର୍ମଚାରୀମାନେ ତ ତୁମକୁ ଡରୁ ନାହାନ୍ତି ଦେଖିଲି। ଦେଖୁଛି ସତେ ଯେମିତି ସବୁ କାରବାର ସେମାନଙ୍କ ମାର୍ଫତ୍‌ରେ ଚାଲୁଛି। ତେବେ, ତୁମ କାରବାର ଏତେ ଭଲ ଚାଲିଛି କେମିତି?
ଏହା ଶୁଣି ସେ କହିଲେ- ମୋ କର୍ମଚାରୀମାନେ ମୋତେ ଶ୍ରଦ୍ଧା କରନ୍ତି ଏବଂ ସେହି ସୂତ୍ରରେ ମାନନ୍ତି। ସେମାନେ ମୋତେ ଆଦୌ ଭୟ କରନ୍ତି ନାହିଁ। ସେମାନେ ଜାଣନ୍ତି ଯେ ବ୍ୟବସାୟ ବଢ଼ିଲେ ମୋର ଉନ୍ନତି ହେବ ଏବଂ ତା’ ସହିତ ସେମାନେ ମଧ୍ୟ ସମାନୁପାତିକ ଭାବେ ବଢ଼ିବେ। ତେଣୁ ଭଲ କାରବାର କେମିତି ହେବ ତାହା ସେମାନଙ୍କ ଦାୟିତ୍ବ ବୋଲି ବିଚାର କରନ୍ତି। ଏଇ ବୁଦ୍ଧିରେ ମୁଁ ବେପାର ଚଳାଉଛି ଓ ତାହା ଚାଲିଛି।

ସମ୍ବନ୍ଧିତ ଖବର