ଜଣେ ଧନୀ ବଣିକ ସର୍ବଦା‌ ଚିନ୍ତାଗ୍ରସ୍ତ ହୋଇ ରହିବାରୁ ସେଥିରୁ ମୁକ୍ତ ହେବାର ବାଟ ପାଇବା ଲାଗି ଜଣେ ଗୁରୁଙ୍କ ପାଖକୁ ଗଲେ। ଗୁରୁ ଥିଲେ ବୈରାଗୀ ଏବଂ ଦାରିଦ୍ର୍ୟ ଭିତରେ ସେ କାଳ କାଟୁଥିଲେ। ଅଥଚ, ସେ ଥିଲେ ପ୍ରଫୁଲ୍ଲ ଚିତ୍ତ, ଅଚିନ୍ତ ଏବଂ ନିର୍ବିକାର।
ବଣିକଙ୍କ ସମସ୍ୟା ଶୁଣି ଗୁରୁ କହିଲେ- କେବଳ ଗୋଟିଏ ବାଟ ଅଛି। ତୁମେ କର୍ତ୍ତା ଭାବ ପରିହାର କର।
ବଣିକ କିନ୍ତୁ ଏହାର ଅର୍ଥ ବୁଝି ପାରିଲେ ନାହିଁ।
ଗୁରୁ ତାଙ୍କୁ ବୁଝାଇ କହିଲେ- କର୍ତ୍ତା ଭାବର ଅର୍ଥ ହେଲା ଯାହା କରୁଛ, ତାହା ତୁମେ କରୁଛ ବୋଲି ଭାବିବା, ଯାହାର ଅର୍ଥ ତୁମେ କର୍ତ୍ତା। ଯଦି ତୁମେ ସେହି ଭାବ ଛାଡ଼ି ପ୍ରକୃତରେ ଅନୁଭବ କରିପାରିବ ଯେ ପୃଥିବୀରେ ସବୁ କିଛି ସେହି ଉପରବାଲା କରୁଛନ୍ତି, ତୁମର କୌଣସି କର୍ତ୍ତୃତ୍ବ ନାହିଁ। ସେ କରୁଛି, ସେ ଜାଣେ, ସବୁ ଦାୟିତ୍ବ ତା’ର। ଭଲ ହେଲେ ବି ଭଲ, ଖରାପ ହେଲେ ବି ଭଲ। ଯଦି ଏମିତି ଭାବି ପାରିବ, ତେବେ ସବୁ ଚିନ୍ତା ଦୂର ହୋଇଯିବ।
ବଣିକ କହିଲେ- ଖରାପ ହେଲେ ବି ଭଲ ଭାବିବି କେମିତି?
ଗୁରୁ କହିଲେ- ଏହାର ଅର୍ଥ ସବୁ ଭଗବାନଙ୍କ ଇଚ୍ଛା ବୋଲି ବିଶ୍ବାସ କରି ଭଲ ଓ ମନ୍ଦ ଉଭୟ ସ୍ବୀକାର କରିନେବା। ଅର୍ଥାତ୍‌ ତୁମ ହାତରେ କିଛି ନାହିଁ।
ବଣିକ କହିଲେ- କିନ୍ତୁ ଏମିତି ତ ଅନେକ କାମରେ ମୋ ପରିଶ୍ରମ ଓ ମୋ ବୁଦ୍ଧି ଯୋଗୁ ମୁଁ ସଫଳ ହୋଇଛି! ତାହା ହେଲେ?
ଗୁରୁ କହିଲେ- ସେଇ କଥା ତ କହୁଛି। ତୁମେ ଯେଉଁ ଦିନ ପ୍ରକୃତରେ ଭାବି ପାରିବ ଯେ ସଫଳତା ଓ ବିଫଳତା ଯାହା ମିଳିଛି ସବୁ ତାଙ୍କରି ଇଚ୍ଛାରେ ମିଳିଛି ଏବଂ କେବଳ ଏତିକି ହୋଇଛି ଯେ ତାଙ୍କ ଇଚ୍ଛା ସହିତ ତୁମ ଇଚ୍ଛା ମେଳ ଖାଇଗଲେ ତୁମେ ସଫଳ ହୋଇଛ, ଯେଉଁଠି ମେଳ ଖାଇନାହିଁ, ତୁମର ପରିଶ୍ରମ ସତ୍ତ୍ବେ ତୁମେ ବିଫଳ ହୋଇଛ। ଏହିଭଳି ଭାବି ସତରେ ଯଦି ସବୁ ତାଙ୍କ ଉପରେ ଛାଡ଼ି ଦେବ, ଦେଖିବ ତୁମେ ଚିନ୍ତାଶୂନ୍ୟ ହୋଇଯିବ। ଏହା ହିଁ କେବଳ ଏକମାତ୍ର ବାଟ।