ଜଣେ ଯୁବକ ସାଧୁଙ୍କ ପାଖରେ ପହଞ୍ଚି କହିଲା-ଅାଜ୍ଞା, ଅାତ୍ମଜ୍ଞାନ ଉପଲବ୍ଧି କରିବା କଅଣ ଭାରି କଷ୍ଟକର?
ସାଧୁ କହିଲେ- କିଏ କହିଲା? ତାହା ସହଜ।
ତା’ପରେ ସାଧୁ ଧ୍ୟାନ ଅାଦିର କିଛି ମାର୍ଗ ବତାଇ ଦେଲେ। ଯୁବକ ସାଧନାରେ ଲାଗିଗଲା। ଅନେକ ବର୍ଷ ବିତିଗଲା। କିଛି ଫଳ ହେଲା ନାହିଁ।
ସେ ପୁଣି ସାଧୁଙ୍କ ପାଖରେ ପହଞ୍ଚିଲା।
ସାଧୁ ଗୋଟିଏ ଗଛ ମୂଳରେ ବସିଥିଲେ। ତାଙ୍କ ଅାଗରେ ବସିଥିଲା ଜଣେ ସାଧାରଣ ଗାଉଁଲୀ ଲୋକଟିଏ। ଯୁବକ ସାଧୁଙ୍କ ପାଦ ତଳେ ପଡ଼ିଯାଇ ପଚାରିଲା- ମହାଶୟ, ଅାପଣ କହିଲେ, ଅାତ୍ମ ଉପଲବ୍ଧିର ବାଟ ସହଜ। ଅାପଣ ଶିଖାଇଥିବା ସବୁ କିଛି କଲି। କିନ୍ତୁ ଲାଭ ହେଲା ନାହିଁ। ଏବେ କହନ୍ତୁ କଅଣ କରିବି?
ସାଧୁ କହିଲେ- ହଉ ବୁଝିବା। ହେଲେ ବାପ ଗୋଟିଏ କାମ କରିବ କି? ସେଇ ଗାଉଁଲୀ ଲୋକକୁ ଦେଖାଇ ସାଧୁ କହିଲେ- ୟାଙ୍କ ସହିତ ୟାଙ୍କ ଘରକୁ ଯାଇ ମୋ ଲାଗି ମସିଣାଟିଏ ଅାଣିଦେବ କି? ତୁମେ ନ ଅାସିଥିଲେ ମୁଁ ନିଜେ ଯାଇଥାଅାନ୍ତି।
ଯୁବକ କହିଲା- ନାଇଁ ଅାଜ୍ଞା, ମୁଁ ଯାଉଛି। ତା’ପରେ ସେ ଗାଉଁଲୀ ଲୋକକୁ ପଚାରିଲା- ତୁମ ଘର କେତେ ବାଟ କି? ଲୋକଟି କହିଲା- ଏଇ ପାଖରେ। ଯୁବକ ତା’ ସହିତ ଚାଲିଗଲା।
ମସିଣା ନେଇ ଯୁବକ ଫେରିଲା ବେଳକୁ କ୍ଳାନ୍ତିରେ ପଡ଼ିଯିବାକୁ ବସିଥାଏ। ପହଞ୍ଚିଲା ପରେ ଢାଳେ ପାଣି ପିଇ ସେ କହିଲା- ଅାଜ୍ଞା, ସେ କହିଲେ ପାଖ ବାଟ। ହେଲେ ଗୋଟିଏ ନଈ ଓ ଦୁଇଟି ପାହାଡ଼ ଟପିଲେ ଯାଇ ତାଙ୍କ ଗାଁ।
ସାଧୁ କହିଲେ- ବାପ, ସେ ସବୁ ଦିନ ଏଇ ବାଟେ ଦୁଇ ଥର ଯାଏ ଅାଉ ଅାସେ। ତାକୁ ସେଇ ବାଟ ପାଖ ଲାଗିବ ନାହିଁ ଅାଉ କଅଣ ଦୂର ଲାଗିବ? ଯୁବକ କହିଲା- ଅାଜ୍ଞା ବୁଝିଲି ଅାପଣଙ୍କ କଥାର ମର୍ମ। ଅାପଣଙ୍କୁ ଅାତ୍ମ ଉପଲବ୍ଧିର ପ୍ରାପ୍ତି ସହଜ କି କଷ୍ଟ ବୋଲି ପଚାରିଲେ ଅାପଣ ସହଜ ନ କହି ଅାଉ କଅଣ କଷ୍ଟ ବୋଲି କହିବେ?
ସହଜ ନା କଷ୍ଟ
କଥାଟିଏ-ଯାଯାବର