ଜଣେ ଯୁବକ ସ˚ସାର ତ୍ୟାଗ କରିବାକୁ ସ୍ଥିର କରି ଘର ଛାଡ଼ି ଚାଲି ଆସିଲା। ଜଙ୍ଗଲ ଅତିକ୍ରମ କରି ଏକ ପାହାଡ଼ ଉପରକୁ ଉଠୁଥିବା ବେଳେ ଦେଖିଲା ଜଣେ ବୃଦ୍ଧ ଗୋଟିଏ ବସ୍ତାରେ କଅଣ ସବୁ ପୂରାଇ ପିଠିରେ ବୋହି ପାହାଡ଼ ଚଢୁଛନ୍ତି। ସେ କ୍ଳାନ୍ତ ଜଣାପଡୁଛନ୍ତି।
ଯୁବକ ତାଙ୍କୁ କୌତୂହଳବଶତଃ ପଚାରିଲା- ଏଥିରେ କଅଣ ନେଇ ଯାଉଛନ୍ତି?
ବୃଦ୍ଧ କହିଲେ- ପଥର ନେଉଛି। ଚୁଲା ତିଆରି କରିବି। ମୋ ଚୁଲା ଭାଙ୍ଗିଗଲା।
ଲୋକଟି କହିଲା- ଆପଣଙ୍କ ବୟସ ହୋଇଯାଇଛି ବୋଲି ବୋଧହୁଏ ଏତିକି ମାତ୍ର ପଥର ଧରି ଯାଉଛନ୍ତି। ମୁଁ ଆପଣଙ୍କୁ ସାହାଯ୍ୟ କରିବି। ଅଧିକ ପଥର ନେଇ ଉପରକୁ ଉଠିବା ଏବ˚ ବଡ଼ ଚୁଲାଟିଏ ତିଆରି କରିବା।
ବୃଦ୍ଧ କହିଲେ- ବାବୁରେ ବଡ଼ ଚୁଲାର ଲୋଡ଼ା ନାହିଁ। ପାହାଡ଼ ଉପରେ ରହୁଥିବା ଲୋକେ ଛୋଟ ଚୁଲା ହିଁ କରନ୍ତି। କାରଣ ବହୁତ ପଥର ନେଇ ପାହାଡ଼ ଚଢ଼ିବା ଭାରି କଷ୍ଟ।
ତା’ ପରେ ବୃଦ୍ଧ ପଚାରିଲେ- ତୁ ପୁଅ କାହିଁକି ପାହାଡ଼ ଚଢୁଛୁ?
ଯୁବକ ଉତ୍ତର ଦେଲା- ସଂସାରର ତାଡ଼ନାରେ ମୁଁ ଅସ୍ତବ୍ୟସ୍ତ। ସଂସାର ଛାଡ଼ି ସନ୍ନ୍ୟାସୀ ହେବା ଲାଗି ବାହାରି ଆସିଛି। ତେଣୁ ନିକାଞ୍ଚନ ସ୍ଥାନ ପାଇବା ଆଶାରେ ପାହାଡ଼ ଚଢୁଛି।
ବୃଦ୍ଧ କହିଲେ- ସଂସାର ଛାଡ଼ି ଆସିଛୁ ନା ସଂସାରକୁ ସାଙ୍ଗରେ ବୋହି ଆଣିଛୁ? ସଂସାର ଛାଡ଼ିଥିବା ଲୋକ କ’ଣ କେବେ ବଡ଼ ଚୁଲା ତିଆରି କରିବା କଥା ମନରେ ଭାବେ?
ଏହି କଥା ପଦକରେ ଯୁବକର ଚୈତନ୍ୟ ଯେମିତି ଉଦୟ ହୋଇଗଲା। ସେ ଭାବିଲା- ସତେ ତ! ସଂସାର ଛାଡ଼ି ଆସିଛି ସିନା ସଂସାରୀର ଗୁଣମାନ ଛାଡ଼ି ପାରିନାହିଁ? ତେଣୁ ସଂସାର ଛାଡ଼ିବା ଆଗରୁ ପ୍ରସ୍ତୁତ ହେବା ଦରକାର। ନ ହେଲେ ପାହାଡ଼ ଉପରେ ଚଳିବା କଷ୍ଟକର ବ୍ୟାପାର।
ସେ ବୃଦ୍ଧଙ୍କୁ କହିଲା- ଏଠାରୁ ଫେରୁଛି। ଆପଣ ମୋତେ ବୁଦ୍ଧି ଦେଲେ। ଧନ୍ୟବାଦ।
ସଂସାର ଛାଡ଼ିବାର କଥା
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)