ଜଣେ କାଠୁରିଆ ଥିଲେ। ଦୈନନ୍ଦିନ ସେ କେବଳ ସେଇ ଗୋଟିଏ କାମ କରୁଥିଲେ। ଜଙ୍ଗଲକୁ ଯାଅ, କାଠ କାଟ ଓ ତାକୁ ଆଣି ବଜାରରେ ବିକ୍ରି କର। ଯେଉଁ ଦିନ ସେ କାମଟି ବନ୍ଦ ହୋଇଯାଏ, ଖାଇବା ବି ବନ୍ଦ ହୋଇଯାଏ।
ଯୁବକ ଅବସ୍ଥାରୁ ଏଭଳି କଠିନ ପରିଶ୍ରମ କରି ଜିଇବା ଭିତରେ କେତେବେଳେ ସେ ବୃଦ୍ଧ ହୋଇଯାଇଥିଲେ ଜଣା ନାହିଁ। ଜୀବନରେ ସେ କେବେ ହେଲେ କୌଣସି ସୁଖ ଅନୁଭବ କରି ନ ଥିଲେ। ପରିଶ୍ରମ କରି କରି ତାଙ୍କର ହାଡ଼ ମା˚ସ ସବୁ ଜରାଜୀର୍ଣ୍ଣ ହୋଇଯାଇଥିଲା। ଏ କଥା ଭାବିଲେ ତାଙ୍କ ଆଖିରେ ଲୁହ ଜକେଇ ଆସୁଥିଲା। କେହି ନ ଥିବା ବେଳେ ସେ ଉପରକୁ ଅନାଇ ମଝିରେ ମଝିରେ ଚିତ୍କାର କରୁଥିଲେ- ହେ ଈଶ୍ବର ମୋତେ ଜନ୍ମ କାହିଁକି ଦେଲୁ? ହେ ଯମ ମୋତେ କାହିଁକି ନେଇ ଯାଉନାହଁ। ଆଉ କ୍ଷଣଟିଏ ବି ବଞ୍ଚିବାର ଇଚ୍ଛା ନାହିଁ।
ଦିନକର କଥା। ସେ ଦିନ ବହୁତ ଖରା ହୋଇଥାଏ। କାଠ କାଟି ସାରି ହାଲିଆ ହୋଇ ଦୁର୍ବଳ ବୃଦ୍ଧ କାଠ ଗୋଛାକୁ ଟେକିଲା ବେଳକୁ ବଳ ପାଇଲା ନାହିଁ। ତାଙ୍କ ପାଟିରୁ ବାହାରି ଗଲା- ହେ ମରଣ ତୁ କେଉଁଠି ଅଛୁ? ଆସୁନାହୁଁ କାହିଁକି?
ତେବେ, ଯାହା କେବେ ଘଟି ନ ଥିଲା, ସେ ଦିନ ତାହା ଘଟିଗଲା। ଯମ ଆସି ସାଙ୍ଗେ ସାଙ୍ଗେ ପହଞ୍ଚିଗଲେ ଓ ପଚାରିିଲେ- କ’ଣ ପାଇଁ ଡାକୁଥିଲ?
ବୃଦ୍ଧ ଯମକୁ ଦେଖି ସାଙ୍ଗେସାଙ୍ଗେ ଚିହ୍ନିଗଲେ। ପ୍ରଥମେ ତ ତାଙ୍କ ପାଟିରୁ ବଚନ ବାହାରିଲା ନାହିଁ। ତେବେ କ୍ଷଣିକ ପରେ ପ୍ରକୃତିସ୍ଥ ହୋଇ ସେ କହିଲେ- ଆଜ୍ଞା, ମୋ ମୁଣ୍ତକୁ ଏ କାଠ ବିଡ଼ା ଉଠାଇ ଦେବା ଲାଗି ଡାକିଥିଲି।
କଥାଟି କହିସାରି ଗୁରୁ ୟୁଜିକେ ତାଙ୍କ ଅନୁଗାମୀମାନଙ୍କୁ କହିଲେ- ଏହା ହିଁ ଜୀବନର ରସ। ଆଖପାଖରେ ମୃତ୍ୟୁ ନାହିଁ ବୋଲି ମନେ ମନେ ନିଶ୍ଚିତ ଥିଲେ ଆମେ ମୃତ୍ୟୁକୁ ବେଳ ଅବେଳରେ ଲୋଡୁ। କିନ୍ତୁ ମୃତ୍ୟୁ ସାମନାରେ ଛିଡ଼ା ହୋଇଗଲେ ବୁଦ୍ଧି ହଜିଯାଏ, ଜୀବନର ଆକର୍ଷଣ କ’ଣ ତାହା ବୁଝିପାରୁ।
ମରଣକୁ ଡାକ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)