ସ୍ବର୍ଗ ଓ ନର୍କକୁ ରାସ୍ତା

କଥାଟିଏ-ଯାଯାବର

ଜାପାନର ସମ୍ରାଟ ପହଞ୍ଚିଲେ ଜଣେ ଜେନ ସାଧୁଙ୍କ ପାଖରେ। ଅହଂକାରୀ ସମ୍ରାଟ ରାଜକୀୟ ଠାଣିରେ କହିଲେ- ମୋ ପ୍ରଶ୍ନର ମନଲାଖି ଉତ୍ତର ପାଇଲି ନାହିଁ। ତେଣୁ ତୁମ ପାଖକୁ ଆସିଛି। ତୁମ ସୁନାମ ଶୁଣିଛି। ନଚେତ ମୋ ଭଳି ସମ୍ରାଟ ଏଠାକୁ ଆସନ୍ତା ନାହିଁ।
ଜେନ ସାଧୁ ହଠାତ୍ କହିଲେ- ଅଧିକ କଥା କୁହ ନାହିଁ। କେବଳ ପ୍ରଶ୍ନକୁ କହ।
ସ୍ବାଭାବିକ ଭାବେ ଏତକ ଶୁଣି ରାଜା ରାଗିଗଲେ, କିନ୍ତୁ ରାଗକୁ ଚାପି ପଚାରିଲେ- ପ୍ରଶ୍ନ ହେଲା ସ୍ବର୍ଗ ଓ ନର୍କ କେଉଁଠି? ସେଠାକୁ କେଉଁ ରାସ୍ତା ପଡ଼ିଛି?
ସାଧୁ ହସି ଉଠିଲେ ଓ ପାଖରେ ବସିଥିବା ନିଜ ଶିଷ୍ୟକୁ କହିଲେ- ୟେ ପୁଣି ଗୋଟାଏ ରାଜା? ୟାର ପ୍ରଶ୍ନ ଶୁଣ! ଗଧ କୋଉଠିକାର?
ରାଜା ଆଉ ସମ୍ଭାଳି ପାରିଲେ ନାହିଁ। ତାଙ୍କ ତରବାରି କୋଷମୁକ୍ତ ହୋଇଗଲା ଏବଂ ସାଧୁଙ୍କ ମୁଣ୍ଡ ଉପରକୁ ଉଠିଗଲା।
ସାଧୁ ଶାନ୍ତ ଗଳାରେ କହିଲେ- ଫିଟିଗଲା ନର୍କକୁ ରାସ୍ତା।
ରାଜା ଅଟକି ଗଲେ। ଚମତ୍କାର ଉତ୍ତର! ଅନେକ ଲୋକ ବହୁ ଜ୍ଞାନଦୀପ୍ତ ଉତ୍ତର ଦେଇଛନ୍ତି। ଅଥଚ ଏଭଳି ଉତ୍ତର? ଅତୁଳନୀୟ।
ରାଜାଙ୍କ ହାତରୁ ଖଣ୍ଡା ଖସି ପଡ଼ିଲା। ସେ ସାଧୁଙ୍କ ପାଦ ତଳେ ବସି ପଡ଼ିଲେ ଓ ଗଦଗଦ କଣ୍ଠରେ କହିଲେ- କ୍ଷମା କରନ୍ତୁ ମହାତ୍ମା। ଏଭଳି ଚମତ୍କାର ଉତ୍ତର ମୋ ଜୀବନରେ କାହାଠୁ କେବେ ପାଇନାହିଁ! ମୋ ଦୋଷ ମାର୍ଜନା କରନ୍ତୁ।
ସାଧୁ ହସିଲେ ଓ କହିଲେ- ହେଇ ଖୋଲିଗଲା ସ୍ବର୍ଗକୁ ରାସ୍ତା।
ରାଜା କେବଳ ଅପଲକ ନୟନରେ ସାଧୁଙ୍କୁ ଚାହିଁ ରହିଥିଲେ।

ସମ୍ବନ୍ଧିତ ଖବର