ମୁକ୍ତିର ଅର୍ଥ

କଥାଟିଏ-ଯାଯାବର

ମୁଲ୍ଲା ନସିରୁଦ୍ଦିନଙ୍କ ଗୋଟିଏ ଅତି ଗେହ୍ଲା ଗଧ ଥିଲା। ତା’ ସହିତ ତାଙ୍କର ଏଭଳି ଅନ୍ତରଙ୍ଗତା ଥିଲା ଯେ ତାଙ୍କୁ ଲାଗୁଥିଲା ଯେ ସେ ଗଧର ଭାଷା ବୁଝି ପାରୁଛନ୍ତି।
ଦିନେ ସକାଳେ ଗଧକୁ ଖୋଲିବାକୁ ଗଲା ବେଳେ ଗଧଟି ତାଙ୍କୁ ଏମିତି ନଜରରେ ଚାହିଁଲା ଯେ ନସିରୁଦ୍ଦିନ ଟିକିଏ ଅଟକି ଯାଇ ପଚାରିଲେ- ତୁ ମୁକ୍ତି ଚାହୁଁ?
ଗଧ ବି ସେ କଥା ବୁଝି ପାରିଲା। ନସିରୁଦ୍ଦିନ କହିଲେ- ବୁଝିଲି, ଯେତେ ସୁବିଧାରେ ଥିଲେ ବି ତ ତୁ ବନ୍ଧା ହୋଇ ରହୁଛୁ! ସକାଳେ ବାହାରି ସଂଧ୍ୟାରେ ଘରକୁ ଫେରିବାକୁ ହେଉଛି! ତେଣୁ ତୁ ମୁକ୍ତି ଚାହୁଁ।
ଗଧ ଏହା ଶୁଣି ଏମିତି ଚାହିଁଲା ଯେ ଲାଗିଲା ସେ ବି ମୁଲ୍ଲାଙ୍କ କଥା ବୁଝି ପାରିଲା। ମୁଲ୍ଲା ଓଜନିଆ ହୃଦୟରେ ତାକୁ ଖୋଲି ଦେଲେ ଓ ଘରର ଫାଟକ ଖୋଲି କହିଲେ- ତୁ ମୁକ୍ତି ଚାହୁଁ ଯଦି ଯାଆ, କିନ୍ତୁ କୋଉଥିରୁ ମୁକ୍ତି ଚାହୁଁ? ଏ ସଂସାରରେ କିଏ ସଂପୂର୍ଣ୍ଣ ମୁକ୍ତ ହୋଇ ପାରିଛି?
ମୁଲ୍ଲା କ୍ଷଣିକ ଲାଗି ଭାବୁକ ହୋଇ ଉଠିଲେ।
ପନ୍ଦର ଦିନ ପରେ ଘର ଆଗରେ ଗଧର ବାହୁନା ଶୁଣି ବାହାରି ଆସି ମୁଲ୍ଲା ଦେଖନ୍ତି ଯେ କଙ୍କାଳସାର ହୋଇ ତାଙ୍କ ଗଧ ଛିଡ଼ା ହୋଇଛି। ଆହା ବୋଲି କହି ସେ ତାକୁ ଘରକୁ ଆଣି ଖାଦ୍ୟ ଦେଉ ଦେଉ କହିଲେ- ଆଉ ଏମିତି ଯିବୁ? କହିଥିଲି ନା ମୁକ୍ତି ନାହିଁ। ଗୋଟିଏରୁ ମୁକ୍ତ ହୋଇ ଗଲୁ, ଆଉ ଗୋଟିଏ ଦ୍ବାରା ବନ୍ଧା ହେଲୁ। ଭୋକ ଜ୍ବାଳାରୁ ମୁକ୍ତି ପାଇ ପାରିଲୁ ନାହିଁ। ଏବେ କହ ଏମିତି ମୁକ୍ତି ଲୋଡ଼ା?
ଗଧ ତାଙ୍କୁ ଯେମିତି ଚାହିଁଲା, ମୁଲ୍ଲା ଜାଣିଲେ ଯେ ଗଧ ମୁକ୍ତିର ମୂଳ ଅର୍ଥ ବୁଝିଲା।

ସମ୍ବନ୍ଧିତ ଖବର