ଥରେ ରାଜା ଗଲେ ଯମୁନା ଦର୍ଶନ କରିବା ଲାଗି। ଯମୁନା କୂଳ ଲୋକାରଣ୍ୟ ହୋଇଗଲା। ସେ ଅଞ୍ଚଳର ସବୁଠାରୁ ପ୍ରସିଦ୍ଧ ପୁରୋହିତ ରାଜାଙ୍କୁ ଯମୁନା ଦର୍ଶନ କରାଇଲେ। ସେ ଅଞ୍ଚଳର ଲୋକମାନେ ବ୍ରାହ୍ମଣଙ୍କୁ ଏଭଳି ଭକ୍ତି କରୁଥିଲେ ଯେ ରାଜାଙ୍କ ମନରେ ବ୍ରାହ୍ମଣଙ୍କ ପ୍ରତି ଈର୍ଷା ଜାତ ହେଲା। ପୂଜା ସରିବା ପରେ ରାଜା ଦକ୍ଷିଣା ସ୍ବରୂପ ଜାଣିଶୁଣି ଏକ ଅଚଳ ମୁଦ୍ରା ବ୍ରାହ୍ମଣଙ୍କ ହାତରେ ଗୁଞ୍ଜି ଦେଲେ। ସମସ୍ତେ ଭାବିଥିଲେ ଯେ ରାଜା ବହୁତ କିଛି ଦକ୍ଷିଣା ସ୍ବରୂପ ଦେବେ। କିନ୍ତୁ ରାଜା କ’ଣ ଦେଲେ କେହି ଜାଣିଲେ ନାହିଁ, ଜାଣିଲେ କେବଳ ରାଜା ଓ ସେଇ ବ୍ରାହ୍ମଣ। ବ୍ରାହ୍ମଣ କିନ୍ତୁ ତାହା ନତ ମସ୍ତକରେ ଗ୍ରହଣ କଲେ ଏବ˚ ରାଜାଙ୍କୁ ଭରପୂର ଆଶୀର୍ବାଦ କଲେ।
ରାଜା ଯିବା ପରେ ଲୋକେ ବ୍ରାହ୍ମଣଙ୍କୁ ପଚାରିଲେ- ରାଜା କ’ଣ ଦେଲେ। ବ୍ରାହ୍ମଣ କହିଲେ- ରାଜା ଯାହା ଦେଇଛନ୍ତି ତାହା ଅପୂର୍ବ। ମୋର ସମସ୍ତ ପିଢ଼ି ମିଶିଗଲେ ବି ତାହା ଖର୍ଚ୍ଚ କରିପାରିବେ ନାହିଁ।
ଏ କଥା ଚାରିଆଡ଼େ ବ୍ୟାପିଗଲା। ରାଜାଙ୍କ ପାଖ ଲୋକ ବି ପଚାରିଲେ- ମହାରାଜ, ଆପଣ ଏମିତି କ’ଣ ମହାର୍ଘ ଚିଜ ଦେଲେ କି?
ବାରମ୍ବାର ଏ କଥା ଶୁଣିବା ପରେ ରାଜାଙ୍କ ମନରେ ବି ସନ୍ଦେହ ହେଲା। କିଏ ଜାଣେ ଏ ବ୍ରାହ୍ମଣଙ୍କ ଫନ୍ଦି!
ତେଣୁ ରାଜା ବ୍ରାହ୍ମଣଙ୍କୁ ଡାକିଲେ ଓ ଗୋପନରେ ପଚାରିଲେ- ସତ କୁହ ଘଟଣା କ’ଣ? ତୁମକୁ ତ ଫଟା ପାହୁଲା ଦେଇଥିଲି?
ବ୍ରାହ୍ମଣ କହିଲେ- ମୁଁ ଯାହା କହିଛି ସତ କହିଛି। କାରଣ ଆପଣ ଯାହା ଦେଲେ ତାକୁ ମୁଣ୍ତ ପିଟିଲେ ବି କେହି ଖର୍ଚ୍ଚ କରିପାରିବେ ନାହିଁ। କାରଣ ତାହା ଅଚଳ। କିନ୍ତୁ ଏଣେ ଆପଣ ମୋର ଅନ୍ନଦାତା। ତେଣୁ ଆପଣଙ୍କ ସମ୍ମାନ ରଖିବା ଲାଗି ମୁଁ କହିଲି ଆପଣ ଯାହା ଦେଇଛନ୍ତି ତାହା ଅପୂର୍ବ!
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର