ବୟସରେ ସିନା ତରୁଣ, ରାଜା ଥିଲେ ଅତ୍ୟନ୍ତ ପରାକ୍ରମଶାଳୀ। ତାଙ୍କ ବୀରତ୍ବ ଓ ଶୌର୍ଯ୍ୟ ଲାଗି ପଡ଼ୋଶୀ ରାଜ୍ୟମାନେ ତାଙ୍କର ବଶ୍ୟତା ସ୍ବୀକାର କରି ନେଇଥିଲେ। ତେବେ ସବୁଠାରୁ ବଡ଼ କଥା ଥିଲା, ଏତେ ସବୁ ସତ୍ତ୍ବେ ତରୁଣ ରାଜା ଥିଲେ ବିନୟୀ, ନମ୍ର, ଧୈର୍ଯ୍ୟବାନ ତଥା ଜ୍ଞାନୀ। ତେବେ ତାଙ୍କର ବିନୟୀ ଗୁଣଟି ମହାମନ୍ତ୍ରୀଙ୍କୁ ଭଲ ଲାଗୁ ନ ଥିଲା। ସେ ଭାବୁଥିଲେ ଯେ ବିନୟୀ ଗୁଣଟି ରାଜୋଚିତ ନୁହେଁ। ସେ ଭାବୁଥିଲେ, ଏପରି ହେଲେ ରାଜା ନିଜର ସମ୍ମାନ ହରାଇବେ।
ଦିନେ ମହାମନ୍ତ୍ରୀ ନିଜ ଅନୁଭୂତିକୁ ଆଧାର କରି ଅନେକ ଉଦାହରଣ ତାଙ୍କ ଆଗରେ ରଖି କହିଲେ ଯେ ରାଜାଙ୍କ ନମ୍ରତା ଭୁଲ୍ ସନ୍ଦେଶ ପ୍ରେରଣ କରୁଛି। ତରୁଣ ରାଜା ଏହା ଶୁଣି କହିଲେ- ମହାମନ୍ତ୍ରୀ, ଆପଣଙ୍କ ପରାମର୍ଶକୁ ମୁଁ ମଧୢ ସର୍ବଦା ଶ୍ରଦ୍ଧାର ସହିତ ଗ୍ରହଣ କରେ। କିନ୍ତୁ ଏ ବ୍ୟାପାରରେ ମୋର ମତ ଭିନ୍ନ। ମୋ ପିତା ମୋତେ ଗୋଟିଏ କଥା କହିଥିଲେ, ଯାହା ମୋତେ ଗଭୀର ଭାବେ ପ୍ରଭାବିତ କରିଛି। ସେ କହିଥିଲେ- ତୁମେ ଏ ରାଜ୍ୟ ରାଜା। ତୁମ ଆଗରେ ସମସ୍ତେ ବିନୟୀ ହେବେ। ତୁମେ ତାହାକୁ ଦେଖି ସେମାନଙ୍କ ଚରିତ୍ର ବା ସ୍ବଭାବ ସଂପର୍କରେ ଧାରଣା ସୃଷ୍ଟି କରିବ ନାହିଁ। ଜଣେ ବ୍ୟକ୍ତି ଦୁର୍ବଳ ଓ ତଳ ଲୋକଙ୍କ ପ୍ରତି କେମିତି ଆଚରଣ ପ୍ରଦର୍ଶନ କରୁଛି, ସେଥିରୁ ହିଁ ତୁମେ ଜାଣିପାରିବ ସେ କେଉଁ ପ୍ରକାରର ବ୍ୟକ୍ତି।
ଏ କଥା ଶୁଣିବା ପରେ ମୁଁ ଭାବିଲି ଯେ ମୁଁ ଯଦି ରାଜା, ତେବେ ମୋ ଲାଗି ଉଚିତ ହେବ ଯେ ମୁଁ ସବୁ ପ୍ରଜାଙ୍କ ପ୍ରତି ଓ ସମସ୍ତଙ୍କ ପ୍ରତି ବିନୟୀ ହେବି। ତାହା ହିଁ ମୋ ଚରିତ୍ରକୁ ପ୍ରତିପାଦନ କରିବ।