ଜଣେ ଯୁବକ ପ୍ରକୃତ ଗୁରୁଙ୍କୁ ଖୋଜି ଖୋଜି ଶେଷରେ ଜେନ୍ ଗୁରୁ ନେନେଙ୍କ ନିକଟରେ ପହଞ୍ଚିଲା। ନେନେଙ୍କୁ ଅଭିବାଦନ କରିବା ସହିତ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ଅନୁରୋଧ କଲା। ନେନେ ତାକୁ ଆଶ୍ରମର ବଗିଚାରେ ଥିବା ଏକ କୂଅ ନିକଟକୁ ଡାକି ନେଇ ଏକ ବାଲ୍ଟିରେ ପାଣି ଟେକିବାକୁ ନିର୍ଦ୍ଦେଶ ଦେଇ ସେଠାରୁ ଚାଲିଗଲେ। କୂଅ ପାଖରେ ଏକ ଖାଲି ପାଣି କୁଣ୍ଡ ଥିଲା ଏବଂ ଦଉଡ଼ି ଲାଗିଥିବା ବାଲ୍ଟିଟିଏ ମଧ୍ୟ ରଖା ହୋଇଥିଲା। ଯୁବକ ବାଲ୍ଟିକୁ କୂଅ ଭିତରକୁ ପକାଇ ପାଣି ଭରି ଟେକିଲା ବେଳେ ଦେଖିଲା ଯେ ତାହାର ତଳ ଅଂଶଟି ନାହିଁ। ତେଣୁ ବାଲ୍ଟିେର ପାଣି ଉଠିବା ସମ୍ଭବ ନୁହେଁ। କେବଳ ଖାଲି ବାଲ୍ଟି ହିଁ ଉଠି ଆସୁଛି।
ଏହା ଦେଖି ଯୁବକଟି ନେନେଙ୍କ ନିକଟକୁ ଗଲା ଏବଂ କହିଲା- ଏଭଳି ବାଲ୍ଟିରେ ପାଣି ଉଠି ପାରିବ ନାହିଁ କି କୂଅ ପାଖରେ ଥିବା ଖାଲି କୁଣ୍ଡକୁ ଭରିବା ସମ୍ଭବ ହେବ ନାହିଁ। ଯେତେ ପରିଶ୍ରମ କଲେ ବି କିଛି ଲାଭ ନାହିଁ।
ନେନେ କହିଲେ- ବାବୁ ତିନିଟି ଭୁଲ୍ କଥା କହିଲୁଣି। ପ୍ରଥମ କଥା ହେଲା ବାଲ୍ଟିରେ ପାଣି ଉଠୁ ବୋଲି ତ ମୁଁ ଚାହେଁ ନାହିଁ। ଦ୍ବିତୀୟରେ କୁଣ୍ଡ ଭରିବା ଲାଗି ତ ତୋତେ କହିନାହିଁ? ତୃତୀୟଟି ହେଲା କେଉଁ ଲାଭ କଥା କହୁଛୁ?
ଏତିକି କଥାରେ ଯୁବକ ପୁଣି କୂଅ ମୂଳକୁ ଫେରିଗଲା। ନେନେ ସଂଧ୍ୟା ବେଳକୁ କୂଅ ନିକଟରେ ପହଞ୍ଚିବା ବେଳକୁ ସେ ସେହି ତଳ ନ ଥିବା ବାଲ୍ଟିକୁ କୂଅ ପାଣିରେ ବୁଡ଼ାଇ ଅନବରତ ଟେକିବାରେ ଲାଗିଥିଲା। ଏମିତି ସେ ଅନେକ ଘଣ୍ଟା ଧରି କରି ଚାଲିଥିଲା।
ଏବେ ନେନେ ପହଞ୍ଚି କହିଲେ- ଚାଲ ବାବୁ ଆଶ୍ରମ ଭିତରକୁ। ଏଥର ତୁ ମୋ ଶିଷ୍ୟ ହେଲୁ। ମୋ କଥାର ମର୍ମ ବୁଝିଲୁ ତ? କୌଣସି ପୂର୍ବାଗ୍ରହ ବା ଧାରଣା ରଖିବୁ ନାହିଁ।
ନେନେଙ୍କ ଶିଷ୍ୟ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)