ଉଜ୍ବେକିସ୍ତାନର ଗୋଟିଏ ଗାଁରେ ରହୁଥିଲା ଜଣେ ଅତି ସ୍ବାର୍ଥପର ଲୋକ। ସେ କେବେ ହେଲେ କାହାକୁ କୌଣସି ପ୍ରକାର ସାହାଯ୍ୟ କରୁ ନ ଥିଲା, କିନ୍ତୁ ତା’ର ଯେତେବେଳେ ଦରକାର ପଡୁଥିଲା, ସେ ଲୋକଙ୍କ ପାଖରୁ ସାହାଯ୍ୟ ଭିକ୍ଷା କରୁଥିଲା। କିନ୍ତୁ ତା’ର ସମସ୍ୟାଟିର ସମାଧାନ ହୋଇଗଲା ପରେ ସେ ସାହାଯ୍ୟକାରୀ ଓ ତା’ର ସାହାଯ୍ୟକୁ ଭୁଲି ଯାଉଥିଲା।
ସେଇ ଗାଁଟି ଥିଲା ମୁଲ୍ଲା ନସିରୁଦ୍ଦିନଙ୍କ ଗାଁ। ଥରେ ମୁଲ୍ଲାଙ୍କ ପାଖରେ ଆସି ପହଞ୍ଚିଲା ଗାଁର ଲୋକଟିଏ। ସେ କହିଲା- ମୁଲ୍ଲା, ମୋତେ ସାହାଯ୍ୟ କର। ସେ ଲୋକ ମୋତେ ହଇରାଣ କରି ସାରିଲାଣି। ବିପଦ ଆପଦ ବେଳେ ସେ ମୋ ଠାରୁ ଟଙ୍କା ସାହାଯ୍ୟ ନେଉଛି, କିନ୍ତୁ ତାହା ପରିଶୋଧ କରିବାର କୌଣସି ଚିହ୍ନବର୍ଣ୍ଣ ନାହିଁ। ଏବେ ପୁଣି ମୋତେ ଟଙ୍କା ମାଗୁଛି। ମୁଁ ମନା କରିପାରୁନାହିଁ। ମୋତେ ବାଟ ଦେଖାଅ। ମୁଲ୍ଲା ଟିକିଏ ହସି କହିଲେ- ଏଭଳି ଲୋକ ଅନେକ ଅଛନ୍ତି। ସେମାନଙ୍କ ଲାଗି ଇଲମ ଅଛି। ଏହା କହି ସେ ଲୋକଟିର କାନରେ କିଛି ଇଲମ ଦେଲେ। ଲୋକଟି ଘରକୁ ଗଲା। ସେ ଘରେ ପହଞ୍ଚିବା ମାତ୍ରକେ ସ୍ବାର୍ଥପର ପଡ଼ୋଶୀ ପହଞ୍ଚିଯାଇ ଟଙ୍କା ଉଧାର ଲାଗି ନେହୁରା ହେଲା। ଲୋକଟି ତାକୁ ଟଙ୍କା ଦେଲା ଏବ˚ ଠିକ୍ ତା’ ପରେ ତା’ ଗାଲରେ ଦେଲା ଏକ ଶକ୍ତ ଚଟକଣା।
ଲୋକଟି ତଟସ୍ଥ ହୋଇ ପଚାରିଲା- ଟଙ୍କା ତ ଦେଲ, ପୁଣି ମାରିଲ କାହିଁକି?
ମୁଲ୍ଲା କହିଥିବା ଭଳି ଲୋକଟି କହିଲା- ତୁମେ ଟଙ୍କା ନେଇ ସିନା ଭୁଲି ଯାଉଛ, ଏ ଚଟକଣାକୁ ଜୀବନ ଯାକ ଭୁଲିବ ନାହିଁ। ଏ ଚଟକଣା କଥା ମନେ ପଡ଼ିଲେ ମୋ ଟଙ୍କା କଥା ବି ମନେ ପଡ଼ିବ ଓ ମୋତେ ତାହା ପରିଶୋଧ କରିଦେବ।