ପୁଅ ବାପାଙ୍କୁ ପଚାରିଲା- ବାପା, ତୁମ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି କିଏ?
ବାପା କିଛି ସମୟ ଚିନ୍ତା କଲେ କିନ୍ତୁ କିଛି କହିଲେ ନାହିଁ। ଏତିକିରେ ପୁଅର ମନ ଭାଙ୍ଗିଗଲା। ବାପାଙ୍କ ଉପରେ ତା’ର ଅଭିମାନ ହେଲା। ସେ ମନେ ମନେ ଭାବିଲା- ମୁଁ ବାପାଙ୍କ ସବୁଠାରୁ ପ୍ରିୟ। ତଥାପି ବାପା ତାଙ୍କ ଲାଗି ସବୁଠାରୁ ଗୁରୁତ୍ବପୂର୍ଣ୍ଣ କିଏ ତାହା କହିପାରିଲେ ନାହିଁ?
କିଛି ଦିନ ଗଲା। ବାପା ଏବ˚ ପୁଅ ଏକାଠି କୌଣସି ଏକ କାମରେ ବାହାରକୁ ଗଲେ। ବାଟରେ ପଡ଼ିଲା ନଈଟିଏ। ନଈ ପାର ହେବା ଲାଗି ସେମାନେ ଡଙ୍ଗା ଚଢ଼ିଲେ। ଅଧା ବାଟରେ ହୋଇଛନ୍ତି, ହଠାତ୍ ଭୀଷଣ ଝଡ଼ ଆସିବାର ସ˚କେତ ମିଳିଲା।
ପୁଅ ଏହା ଦେଖି ଡରିଗଲା। ନାଉରିଆ ଜଣକ ପୁଅ ମନରେ ଥିବା ଭୟ କଥା ଜାଣିପାରି କହିଲା- ବାବୁ, ଭୟ କରନାହିଁ। ମୁଁ ଅଛି। କିଛି ଅଘଟଣ ହେଲେ ମୁଁ ତୁମ ଦୁହିଁଙ୍କୁ ପାର କରି କୂଳରେ ଲଗାଇବି। ଏଥର ପୁଅ ମନରେ ଆଶ୍ବସ୍ତି ଭାବ ଫୁଟିଲା।
କିନ୍ତୁ ବାପା ଅନ୍ୟ କିଛି ଭାବୁଥିଲେ। ସେଇ ମେଘ ପବନର ଘନଘଟା ଭିତରେ ବାପା ପୁଅକୁ କହିଲେ, ପୁଅ ତୁ ସେଦିନ ପଚାରିଥିଲୁ ତୁମ ଲାଗି ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି କିଏ? ଏବେ ତା’ର ଉତ୍ତରଟି ଶୁଣ। ଏବେ ଏଇ ନଈ ମଝିରେ ଯେତେବେଳେ ଆକାଶରେ ଝଡ଼ବର୍ଷାର ସ˚କେତ ମୋ ଲାଗି ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି ହେଲେ ଏଇ ନାଉରିଆ।
କିଛି ସମୟ ପରେ ମେଘ କୁଆଡ଼େ ଉଡ଼ିଗଲା। ନିର୍ମଳ ଆକାଶ ଦିଶିଲା। ପୁଅ ମନ ବି ନିର୍ମଳ ହୋଇଯାଇଥିଲା। ସେ ବୁଝିପାରିଲା ବାପାଙ୍କ କଥାର ଅର୍ଥ। ଯେଉଁ ଲୋକ ଯେତେବେଳେ ତୁମ ପାଖରେ ଥାଇ ତୁମ ବିପଦଆପଦରେ ସାହାଯ୍ୟ କରିପାରୁଥିବ, ସେ ହେଉଛି ସେଇ ମୁହୂର୍ତ୍ତରେ ତୁମ ଲାଗି ସବୁଠାରୁ ଗୁରୁତ୍ବପୂର୍ଣ୍ଣ।
ବାପାଙ୍କ ଉତ୍ତର
କଥାଟିଏ- ଯାଯାବର
/sambad/media/post_attachments/wp-content/uploads/2021/12/foot.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)