ଗୁରୁ ଗୃହରୁ ବାର୍ତ୍ତା ଆସିଗଲା ଯେ ରାଜପୁତ୍ର ଶିକ୍ଷା ଲାଭ କରି ଫେରୁଛନ୍ତି। ବାଳକ ଅବସ୍ଥାରୁ ଗୁରୁଙ୍କ ଆଶ୍ରମକୁ ଯାଇଥିବା ରାଜପୁତ୍ର ସେଠାରେ ତରୁଣ ପାଲଟି ଯାଇଥିଲେ। ଏଇ ସମୟ କାଳ ଭିତରେ ରାଜା ରାଜପୁତ୍ରଙ୍କୁ ଦେଖି ନ ଥିଲେ। ତେଣୁ ତାଙ୍କ ମନରେ ପ୍ରବଳ ଉତ୍କଣ୍ଠା। ରାଜାଙ୍କ ଆଦେଶରେ ରାଜଧାନୀର ଲୋକେ ସେମାନଙ୍କ ଘର ଦ୍ବାର ସଜାଇଥାଆନ୍ତି। ଚାରି ଆଡ଼େ ଉତ୍ସବର ବାତାବରଣ। ରାଜଧାନୀର ପ୍ରବେଶ ଦ୍ବାର ପାଖରେ ରାଜା ନିଜ ପରିବାର ଏବଂ ପାତ୍ରମନ୍ତ୍ରୀଙ୍କ ସହ ପ୍ରତୀକ୍ଷା କରିଥାଆନ୍ତି।
ଏତିକି ବେଳେ ଦୂରରୁ ଦିଶିଲା କେହି ଜଣେ ସେ ଆଡ଼କୁ ଆସୁଛନ୍ତି। କିଛି ସମୟ ପରେ ସ୍ପଷ୍ଟ ହେଲା ଯେ ଘୋଡ଼ା ପିଠିରେ କେହି ଜଣେ ବସିଛନ୍ତି ଏବଂ ଘୋଡ଼ାର ଲଗାମ ଧରି ଆଉ ଜଣେ ଚାଲିଛନ୍ତି। ରାଜା କହିଲେ- ହେଇ, ଆସିଗଲା ଅଶ୍ବ ପୃଷ୍ଠରେ ମୋ ପୁତ୍ର।
କିନ୍ତୁ ସେମାନେ ପାଖେଇ ଆସିବା ପରେ ରାଜା ଦେଖିଲେ ଯେ ଘୋଡ଼ା ପିଠିରେ ବସିଛନ୍ତି ଜଣେ ବୃଦ୍ଧ ଏବଂ ଘୋଡ଼ା ସହିତ ଚାଲିଛନ୍ତି ଜଣେ ତରୁଣ। ତରୁଣଙ୍କ ପୋଷାକ ଧୂଳି ଧୂସରିତ, କେଶ ଅବିନ୍ୟସ୍ତ ଏବଂ ସେ କ୍ଳାନ୍ତ।
ରାଜା ହତାଶାରେ କହି ପକାଇଲେ- ୟେ କ’ଣ? ତୁମେ ନିଜକୁ କ’ଣ କରିଛ? ତୁମେ ପରା ଜଣେ ରାଜପୁତ୍ର, ଅଥଚ!
ରାଜା ଆଉ କିଛି କହି ପାରିଲେ ନାହିଁ।
ରାଜପୁତ୍ର ପିତାଙ୍କୁ ପ୍ରଣାମ ଜଣାଇ ସ୍ଥିର କଣ୍ଠରେ କହିଲେ- ମୁଁ ତ କେବଳ ରାଜୋଚିତ କାର୍ଯ୍ୟ କରିଛି। ଜଣେ ରାଜା ସୁଯୋଗ୍ୟ ହେବା ଲାଗି ଯାହା ଲୋଡ଼ା ତାହା କରିଛି। ଅଶ୍ବ ପୃଷ୍ଠରୁ ଓହ୍ଲାଇ ପଡ଼ି ଜଣେ ଅସହାୟ ବୃଦ୍ଧଙ୍କୁ ଘୋଡ଼ା ପିଠିରେ ବସାଇବା ତ ହେଉଛି ରାଜୋଚିତ!
ଏ ସଂକ୍ଷିପ୍ତ ଉତ୍ତର ରାଜାଙ୍କୁ ଚକିତ କରିଦେଲା। ରାଜା ବୁଝିଲେ ଯେ ଗୁରୁ ଗୃହରୁ ରାଜପୁତ୍ର ଯୋଗ୍ୟ ହୋଇ ଫେରିଛନ୍ତି।
ଯୋଗ୍ୟ ରାଜପୁତ୍ର
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)