ଚତୁର ନସିରୁଦ୍ଦିନ

କଥାଟିଏ-ଯାଯାବର

ଥରେ ରାଜା ବଡ଼ ସମାରୋହରେ ମୁଲ୍ଲା ନସିରୁଦ୍ଦିନଙ୍କୁ ଡାକି ତାଙ୍କ ହାତରେ ଅଚଳ ମୁଦ୍ରାର ଏକ ବଡ଼ ଥଳି ଦାନ ଭାବେ ଧରାଇ ଦେଲେ। ଲୋକେ ଭାବିଲେ ରାଜା ମୁଲ୍ଲାଙ୍କୁ ଭଲ ପାଉଥିବାରୁ କ’ଣ ନାଇଁ କ’ଣ ଦାନ ଭାବେ ଦେଇଛନ୍ତି। କିନ୍ତୁ ରାଜାଙ୍କ ବିଚାର ଥିଲା ଅନ୍ୟ ପ୍ରକାରର। ସେ ଚାହୁଁଥିଲେ ଯେ ମୁଲ୍ଲାଙ୍କ ଭଳି ଅତି ଚତୁର ଲୋକ ଏଭଳିଆ ଦାନ ପାଇ କ’ଣ କରୁଛନ୍ତି ତାହା ଦେଖିବା।
ମୁଲ୍ଲା ଥଳି ଖୋଲି ଭିତରକୁ ନିରେଖି ଦେଖିଲେ ଓ ବଡ଼ ହସଟିଏ ହସି ନିଜ ମୁଣାରେ ତାକୁ ପୂରାଇଲେ। ଯେତେବେଳେ ମୁଲ୍ଲାଙ୍କୁ ପଚରାଗଲା- ରାଜା କ’ଣ ଦେଲେ କି? ମୁଲ୍ଲା କହିଲେ- ରାଜା ଯାହା ଦେଇଛନ୍ତି ତାହା ଅପୂର୍ବ। ମୋର ସାତ ପୁରୁଷ ମିଶିଗଲେ ବି ତାହା ଖର୍ଚ୍ଚ କରିପାରିବେ ନାହିଁ।
ଏ କଥା ଚାରିଆଡ଼େ ବ୍ୟାପିଗଲା। ସମସ୍ତେ ମୁଲ୍ଲାଙ୍କୁ ସତରେ ଈର୍ଷା କଲେ। କଥା ରାଜାଙ୍କ କାନରେ ପହଞ୍ଚିଲା। ମନ୍ତ୍ରୀ ରାଜାଙ୍କୁ ସବୁ କଥା କହି ପଚାରିଲେ- ଜାହାଁପନା, ଆପଣ ମୁଲ୍ଲାଙ୍କୁ ଏମିତି କ’ଣ ଦେଲେ କି?
ଏହା ଶୁଣି ରାଜା ଭାବିଲେ- ୟେ ପୁଣି ମୁଲ୍ଲାର କି ଚାଲାକି? ଫଟା ପାହୁଲାରୁ ବି କ’ଣ ମୁଲ୍ଲା ମହୁ ବାହାର କରିଦେବ ନା କ’ଣ?
ତେଣୁ ରାଜା ମୁଲ୍ଲାଙ୍କୁ ଡାକିଲେ ଓ ପଚାରିଲେ- ସତ କୁହ ଘଟଣା କ’ଣ? ତୁମକୁ ତ ଶହେ ଖଣ୍ତେ ଫଟା ପାହୁଲା ଦେଇଥିଲି! କିନ୍ତୁ ତୁମେ କହୁଥିବା ଶୁଣୁଛି ଯେ ଏମିତି ସ˚ପତ୍ତି ପାଇଛ ଯେ ତୁମ ସାତ ପୁରୁଷ ବି ତାକୁ ଖର୍ଚ୍ଚ କରିପାରିବେ ନାହିଁ।
ମୁଲ୍ଲା କହିଲେ- ଜାହାଁପନା, ମୁଁ ଆପଣଙ୍କ ଲୁଣ ଖାଇଛି। ଯଦି କହିଥାଆନ୍ତି ଆପଣ ମୋତେ ଏମିତି ଦାନ ଦେଇଛନ୍ତି ଲୋକେ ଆପଣଙ୍କୁ ଛି ଛାକର କରିଥାଆନ୍ତେ। ଏଣେ ସତ ନ କହିଲେ ବି ନ ଚଳେ। ସତ କଥା ହେଉଛି ଅଚଳ ଟଙ୍କାକୁ ମୁଁ ବା ମୋ ସାତ ପୁରୁଷ କାହିଁକି ମୋ ଚଉଦ ପୁରୁଷ ଚାହିଁଲେ ବି ଚଳେଇ ପାରିବେ ନାହିଁ, ଖର୍ଚ୍ଚ କରିବା ତ ଦୂରର କଥା। ତେଣୁ ଏମିତି କହୁଥିଲି।
ରାଜା ହସି ଉଠିଲେ ଓ ମୁଲ୍ଲାଙ୍କୁ ଶହେ ସ୍ବର୍ଣ୍ଣମୁଦ୍ରା ଦେଲେ।

ସମ୍ବନ୍ଧିତ ଖବର