ଥରେ ଗୁରୁ ୟୁଜିକେ କହିଥିଲେ ଏହି କଥାଟି।
ସମ୍ରାଟ ଆକବର ଭାବୁଥିଲେ ଯେ ତାଙ୍କ ଦରବାରର ସଂଗୀତଜ୍ଞ ତାନସେନଙ୍କ ସମକକ୍ଷ ଗାୟକ ଏ ପୃଥିବୀରେ ନାହାନ୍ତି। ସେଇ କଥା ଦିନେ ସେ ତାନସେନଙ୍କୁ କହିଦେଲେ। ତାନସେନ ଏହା ଶୁଣି କହିଲେ- ମହାରାଜ, ଆପଣ ମୋ ଗୁରୁଙ୍କୁ ଜାଣି ନାହାନ୍ତି। ମୁଁ ତାଙ୍କ ପାଦଧୂଳିକୁ ବି ସରି ନୁହେଁ।
ଆକବର କହିଲେ- ତେବେ ତୁମେ ତୁମ ଗୁରୁଙ୍କୁ ଡାକ। ଆମେ ତାଙ୍କୁ ଶୁଣିବା।
ତାନସେନ କହିଲେ- ମହାରାଜ, ଅସୁବିଧା ହେଲା ଆପଣ ଡାକିଲେ ବି ସେ ଆସିବେ ନାହିଁ। ସେ ଜଙ୍ଗଲ ଭିତରେ ରହନ୍ତି। ତାଙ୍କ ପାଖକୁ ଯିବାକୁ ହେବ।
ଆକବର କହିଲେ- ତେବେ ଚାଲ। ଏବେ ଯିବା।
ତାନସେନ କହିଲେ- ଏବେ ଆପଣ ଯାଇ ତାଙ୍କୁ ଗାଅ ବୋଲି କହିଲେ ବି ସେ ଗାଇବେ ନାହିଁ। ଆମକୁ ତାଙ୍କ ଅଲକ୍ଷ୍ୟରେ ଅପେକ୍ଷା କରିବାକୁ ହେବ। ଭାଗ୍ୟରେ ଥିଲେ ତାଙ୍କ ଗୀତ କାନରେ ପଡ଼ିବ।
ଉତ୍କଣ୍ଠିତ ଆକବର ଏହା ଶୁଣି ତାନସେନଙ୍କ ସହିତ ଜଙ୍ଗଲକୁ ଗଲେ। ଆକବରଙ୍କ ଭାଗ୍ୟରେ ଥିଲା। କାରଣ, ସେଇ ଦିନ ଅପରାହ୍ଣରେ ଅପୂର୍ବ ସଂଗୀତର ମୂର୍ଚ୍ଛନାରେ ଜଙ୍ଗଲ ହିଲ୍ଲୋଳିତ ହୋଇ ଉଠିଲା। ପକ୍ଷୀ ଓ ପଶୁମାନେ ମନ୍ତ୍ରମୁଗ୍ଧ ଭାବେ ଯିଏ ଯେଉଁଠି ନିଥର ହୋଇ ଛିଡ଼ା ହୋଇଗଲେ। ଗଛରେ ଅଦିନିଆ ଫୁଲ ଫୁଟିଗଲା। ମଲା ଗଛ ପଲ୍ଲବିତ ହୋଇ ଉଠିଲା। ଆକବର ସେ ସଂଗୀତରେ ନିଜ ଚୈତନ୍ୟ ହରାଇଲେ।
ଏବେ ଆକବର ବୁଝି ପାରିଲେ ଯେ କୌଣସି କଳା ବା କଳାକାରର ଉତ୍କର୍ଷ ଥାଏ କେଉଁଠି?
ପ୍ରକୃତ ସଂଗୀତଜ୍ଞ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)