ଜଣେ ଲୋକ ଅତ୍ୟନ୍ତ ଦାରିଦ୍ର୍ୟରୁ ମୁକ୍ତି ପାଇବା ଲାଗି ଘୋର ତପସ୍ୟା କଲା। ଭଗବାନ ଆସିଲେ ଏବ˚ ତାକୁ ଶଙ୍ଖଟିଏ ଦେଲେ। ତାକୁ କହିଲେ- ଏ ଶଙ୍ଖକୁ ଯାହା ମାଗିବୁ ତା’ର ଅଧେ ନିଶ୍ଚୟ ପାଇବୁ। ୟାକୁ ନେ।
ଲୋକଟି ତାକୁ ନେଇ ବହୁତ କିଛି ମାଗି ପକାଇଲା। ଯାହା ମାଗିଲା ତା’ର ଅଧା ପାଇ ଅଚିରେ ବହୁତ ଧନୀ ହୋଇଗଲା। ଗାଁ ଲୋକେ ତାକୁ ଈର୍ଷା କଲେ। ଏଇ ସମୟରେ ଦିନେ ତା’ ଘରକୁ ଆସିଲେ ଜଣେ ସାଧୁ। ଲୋକଟି ସାଧୁଙ୍କୁ ଘରେ ଦିନକ ଲାଗି ଆଶ୍ରୟ ଦେଲା। ପରଦିନ ସକାଳେ ସାଧୁ ଯିବାକୁ ବାହାରିବା ଆଗରୁ ଏକାନ୍ତରେ ବସି ପୂଜା କଲେ। ଲୋକଟି ଦେଖିଲା ସାଧୁଙ୍କ ପାଖରେ ବି ସେମିତି ଶଙ୍ଖଟିଏ ଅଛି। ସେ କିଛି ଦୂରରୁ ଶୁଣିଲା ଯେ ସାଧୁ ଶଙ୍ଖକୁ କହୁଛନ୍ତି- ମୋତେ ଫୁଲଟିଏ ଦିଅ। ତା’ ପରେ ଶଙ୍ଖ କହିଲା- ଗୋଟାଏ କାହିଁକି ଦୁଇଟି ଫୁଲ ନିଅ।
ଏ କଥା ଶୁଣିବା ପରେ ଲୋକଟି ଚକିତ ହୋଇଗଲା। ସେ ନିଜକୁ କହିଲା- ଏଇଟା ହେଉଛି ଅସଲ ଶଙ୍ଖ। ମୋତେ ବୋଧହୁଏ କେଉଁ ଛୋଟମୋଟ ଠାକୁର ଶଙ୍ଖଟିଏ ଦେଲେ ଯେ ଯାହା ମାଗିଲେ ଅଧା ମିଳୁଛି।
ଏହା ଭାବି ସେ ସାଧୁଙ୍କ ପାଖକୁ ଯାଇ କହିଲା- ମହାତ୍ମା, ମୋର ବି ଗୋଟିଏ ଶଙ୍ଖ ଅଛି ଯାହା ମାଗିଥିବା ଦ୍ରବ୍ୟର ଅଧା ଦେଉଛି। କିନ୍ତୁ ଆପଣଙ୍କ ଶଙ୍ଖ ଦୁଇଗୁଣ ଦେଉଛି। ମୁଁ ସ˚ସାରୀ ଲୋକ ଓ ଆପଣ ସନ୍ନ୍ୟାସୀ। ଏଣୁ ଆପଣ ମୋ ଶଙ୍ଖ ନେଇ ଆପଣଙ୍କ ଶଙ୍ଖ ମୋତେ ଦିଅନ୍ତୁ। ସାଧୁ ରାଜି ହୋଇଗଲେ ଏବ˚ ନିଜ ଶଙ୍ଖଟି ଦେଇ ଚାଲିଗଲେ।
ସାଧୁ ଯିବା ପରେ ଲୋକଟି ଶଙ୍ଖକୁ ମାଗିଲା- ମୋତେ ଲକ୍ଷେ ଟଙ୍କା ଦିଅ। ଶଙ୍ଖ କହିଲା ଦୁଇ ଲକ୍ଷ ନିଅ। କିନ୍ତୁ କିଛି ଟଙ୍କା ଆସିଲା ନାହିଁ। ଲୋକଟି ଯେତେ ଥର ଯାହା ମାଗିଲା ଶଙ୍ଖ କେବଳ ତା’ର ଦୁଇ ଗୁଣ ନିଅ ବୋଲି କହିଲା ସିନା, କିଛି ଦେଲା ନାହିଁ। ଲୋକଟି ହତାଶାରେ ପାଗଳପ୍ରାୟ ହୋଇଗଲା। ସେ ଜାଣିଲା ଯେ ଅତି ଲୋଭରୁ ଯେଉଁ ଶଙ୍ଖଟି ସେ ହାସଲ କଲା, ତାହା ହେଉଛି ସଇତାନର ଶଙ୍ଖ।
ସଇତାନର ଶଙ୍ଖ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)