ଉଦ୍ଦାଳକ ଦେଖିଲେ ଦୂରରୁ ପୁତ୍ର ଶ୍ବେତକେତୁ ଆସୁଛନ୍ତି। ଗୁରୁ ଗୃହରୁ ପ୍ରକୃତ ଶିକ୍ଷା ଲାଭ କରି ଘରକୁ ବାହୁଡୁଥିବା ବାଳକ ଭଳି ଶ୍ବେତକେତୁ ଚାଲୁ ନ ଥିଲେ। ଉଦ୍ଦାଳକ ଠଉରାଇ ପାରିଲେ ଯେ ପୁତ୍ର ପଣ୍ଡିତ ହୋଇ ଫେରୁଛି ସତ, କିନ୍ତୁ ପ୍ରଜ୍ଞାବାନ ହୋଇ ଫେରୁ ନାହିଁ। କାରଣ ତା’ର ଚାଲି ଓ ଠାଣିରେ ଅହମିକା ରହିଛି। ଭିତରେ ମୂଢ଼ତା ରହିଛି ଅଥଚ ଉପରେ ଜ୍ଞାନର ଆସ୍ତରଣ।
ଶ୍ବେତକେତୁ ଘରେ ପହଞ୍ଚି ଉଦ୍ଦାଳକଙ୍କୁୁ ପ୍ରଣାମ କଲେ। ଉଦ୍ଦାଳକ ପଚାରିଲେ- କି ଶିକ୍ଷା ଲାଭ କରି ଫେରିଲ?
ଶ୍ବେତକେତୁ କହିଲେ- ପିତା ସମସ୍ତ ଶିକ୍ଷା ସମାପ୍ତ କରିଛି। ଏମିତି କେଉଁ ଶାସ୍ତ୍ର ନାହିଁ ଯାହା ମୁଁ ଆୟତ୍ତ କରିନାହିଁ। ଆପଣ ମୋତେ ପରୀକ୍ଷା କରି ପାରନ୍ତି। ମୁଁ ସବୁ କିଛି ଜାଣେ।
ଉଦ୍ଦାଳକ ବୁଝି ପାରିଲେ ଯେ ତାଙ୍କ ଅନୁମାନ ସତ୍ୟ ହୋଇଛି। ଶ୍ବେତକେତୁ ବିନମ୍ରତାଶୂନ୍ୟ ଜ୍ଞାନୀରେ ପରିଣତ ହୋଇଛନ୍ତି।
ଉଦ୍ଦାଳକ ପଚାରିଲେ- ତାହା ହେଲେ ତୁମେ ନିଜର ପରିଚୟ ଦିଅ। ମୋତେ କୁହ ପ୍ରକୃତରେ ତୁମେ କିଏ?
ଶ୍ବେତକେତୁ ଉତ୍ତର ଦେବାକୁ ଚେଷ୍ଟା କରି ଅଟକି ଗଲେ। ସେ ଭାବିଲେ ପିତା ତାଙ୍କୁ ଏଭଳି ପ୍ରଶ୍ନ ପଚାରିବାର ଅର୍ଥ ଏହାର ଉତ୍ତର ସହଜ ହୋଇ ନ ଥିବ, ଯାହା ସେ କହିବାକୁ ଉଦ୍ୟତ ହେଉଛନ୍ତି। ତେଣୁ ସେ ପ୍ରଶ୍ନ ଉପରେ ଧ୍ୟାନ କେନ୍ଦ୍ରୀଭୂତ କଲେ। ନିଜକୁ ଜାଣିବାର ପ୍ରୟାସରେ ଅର୍ଥମାନ ପରସ୍ତ ପରସ୍ତ ହୋଇ ଖୋଲିବାରେ ଲାଗିଲେ।
ଉଦ୍ଦାଳକ କହିଲେ- ପୁତ୍ର, ଆମେମାନେ କେବଳ ଜନ୍ମ ସୂତ୍ରରେ ବ୍ରାହ୍ମଣ ନୁହେଁ। ଆମେମା‌େନ ବ୍ରହ୍ମକୁ ଚିହ୍ନିଥିବାରୁ ବ୍ରାହ୍ମଣ। ଏବେ ପ୍ରଥମେ ନିଜକୁ ଠିକଣା ଭାବେ ଚିହ୍ନ, ତା’ ପରେ ଘରକୁ ଫେରିବ।
ଶ୍ବେତକେତୁ ଫେରିଗଲେ। କିଛି ବର୍ଷ ପରେ ସେ ଯେତେବେଳେ ଘରକୁ ବାହୁଡ଼ିଲେ, ସେ ଆଉ ଜ୍ଞାନରେ ଦର୍ପୀ ଶ୍ବେତକେତୁ ନ ଥିଲେ। ସେ ହୋଇଯାଇଥିଲେ ଉଦ୍ଦାଳକ କହିଥିବା ଭଳି ବ୍ରହ୍ମଜ୍ଞାନୀ ବିନମ୍ର ଶ୍ବେତକେତୁ।