ଜଣେ ରାଜାଙ୍କ ମୃତ୍ୟୁ ପରେ ରାଜପୁତ୍ର ନୂଆ ରାଜା ହେଲେ। ଶାସନର ବର୍ଷକ ପରେ ନୂଆ ରାଜା ତାଙ୍କ ଶିକ୍ଷା ଗୁରୁଙ୍କୁ ଉଆସକୁ ଆମନ୍ତ୍ରଣ କଲେ। ଗୁରୁ ନୂଆ ରାଜାଙ୍କ କାରବାର ସବୁ ଦେଖିଲେ। ରାଜା ସେତିକି ବେଳକୁ ତୋଷାମଦକାରୀମାନଙ୍କ ଦ୍ବାରା ପରିବେଷ୍ଟିତ। ଗୁରୁ ତାଙ୍କୁ କହିଲେ- ବାବୁ ତୁମେ ରାଜ କାର୍ଯ୍ୟରେ ଟିକିଏ ମନ ଦିଅ।
ରାଜା କହିଲେ- ଗୁରୁଦେବ, ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। ମୋ ଶାସନରେ ସବୁ ପ୍ରଜା ବେଶ୍ ଖୁସି। ମୋ ପାଖ ଲୋକେ ମତେ ଏ ଖବର ଦେଉଛନ୍ତି।
ଗୁରୁ କହିଲେ- ତୁମ ବାପା ଯେତେବେଳେ ଶାସନ କରୁଥିଲେ ସେତିକି ବେଳେ ତାଙ୍କର ଏତେ ପାଖ ଲୋକ ନ ଥିଲେ। ତୁମେ କାହିଁକି ଏତେ ପାଖ ଲୋକଙ୍କୁ ରଖିଛ?
ନୂଆ ରାଜା କହିଲେ- ଗୁରୁଦେବ, ସେମାନେ ତ ମୋର ଶକ୍ତି। ସେମାନେ ଥିବାରୁ ମୁଁ ମୋ ଶାସନରେ ନିରଙ୍କୁଶ ଏବ˚ ମୋ ରାଜ୍ୟରେ ନିରାପଦ।
ଗୁରୁ ଆଉ କିଛି କହିଲେ ନାହିଁ। ତା’ ପରେ ସେ ରାଜମାତାଙ୍କୁ ଦେଖା କରି କହିଲେ- ରାଣୀ ମାଆ, ଆପଣଙ୍କ ପୁଅ ଯେମିତି ଶାସନ କରୁଛି, ତହିଁରୁ ଲାଗୁଛି ଏହି ପ୍ରାସାଦରୁ ବାହରିଯିବା ସକାଶେ ଗୋଟିଏ ଗୋପନୀୟ ଗଳା ବାଟ ଦରକାର ପଡ଼ିପାରେ। ତେଣୁ ଆପଣ ନିଜର ଏକାନ୍ତ ବିଶ୍ବସ୍ତଙ୍କ ଜରିଆରେ ରାଜପ୍ରାସାଦ ଭିତରୁ ଗୋଟିଏ ସୁଡ଼ଙ୍ଗ ଖୋଳାଇବାର ବ୍ୟବସ୍ଥା କରନ୍ତୁ।
ଏହା କହି ଗୁରୁ ଚାଲିଗଲେ। ରାଜମାତା ତୁରନ୍ତ ସୁଡ଼ଙ୍ଗ ନିର୍ମାଣ କାମ ଆରମ୍ଭ କରି ସାରିଲେ। ସବୁ କିଛି ଗୋପନୀୟତାର ସହିତ ହେଲା। କିଛି କାଳ ପରେ ରାଜମାତାଙ୍କ ଦେହାନ୍ତ ହେବା ପୂର୍ବରୁ ସେ ନିଜର ଯୋଗ୍ୟ ବୋହୂଙ୍କୁ ଡାକି ସେଇ ଗୁପ୍ତ ଦ୍ବାର ଦେଖାଇ ଦେଇ କହିଲେ ଏହା ଈଶ୍ବରଙ୍କ ବାଟ।
ସତକୁ ସତ ରାଜ୍ୟର ପରିସ୍ଥିତି ବଦଳିଲା। ଖାମଖିଆଲ ରାଜାଙ୍କୁ ତଡ଼ିବା ଲାଗି ବିଦ୍ରୋହ ହେଲା। ଈଶ୍ବରଙ୍କ ବାଟଟି ନ ଥିଲେ ରାଜା ହୁଏତ ବିଦ୍ରୋହୀଙ୍କ ହାତରେ ନିହତ ହୋଇଥାନ୍ତେ। ଏକ ନିଷ୍ଠୁର ଶିକ୍ଷା ପାଇବା ଲାଗି ରାଜାଙ୍କୁ କିନ୍ତୁ ବହୁ ମୂଲ୍ୟ ଦେବାକୁ ପଡ଼ିଲା।
ନିଷ୍ଠୁର ଶିକ୍ଷା
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)