ଜଣେ ଗୁରୁ ଭାରି ଶୃଙ୍ଖଳା ଭିତରେ ଶିଷ୍ୟମାନଙ୍କୁ ତାଙ୍କ ଆଶ୍ରମରେ ଶିକ୍ଷା ଦେଉଥିଲେ। ଆଶ୍ରମର ପ୍ରଥମ ନିୟମ ଥିଲା ଅନ୍ତେବାସୀମାନେ ଗୁରୁଙ୍କ ଭଳି ଶୁଭ୍ର ବା ଧଳା ରଙ୍ଗର ପୋଷାକ ପିନ୍ଧିବେ। ଥରେ ଜଣେ କିଶୋର ପହଞ୍ଚିଲା ଆଶ୍ରମରେ। ସେ ଗୁରୁଙ୍କୁ ଏକାନ୍ତରେ ଭେଟିବାକୁ ଚାହିଁଲା। ଗୁରୁଙ୍କ ସହିତ ସାକ୍ଷାତ୍କାର ବେଳେ ସେ ଗୁରୁଙ୍କୁ ପ୍ରଥମ ପ୍ରଶ୍ନ କଲା- ଆଜ୍ଞା, ଆପଣଙ୍କ ଆଶ୍ରମରେ ରହିବାକୁ ହେଲେ କ’ଣ ଜଣେ ଧଳା ପୋଷାକ ପିନ୍ଧିବାକୁ ବାଧୢ? ଗୁରୁ କହିଲେ- ନିଶ୍ଚୟ। ଏହା ହେଉଛି ଆଶ୍ରମର ପ୍ରମୁଖ ଓ ପ୍ରଥମ ନିୟମ।
ପିଲାଟି କହିଲା- ଏହା କେବଳ ଆଶ୍ରମର ଏକ ନିୟମ ମାତ୍ର, ନା ୟା ପଛରେ ଆଉ କିଛି କାରଣ ରହିଛି? ଗୁରୁ ଟିକିଏ ଅଟକିଗଲେ। ସତେ ତ! ଇତିମଧୢରେ ୟା ପଛରେ ଥିବା ଅସଲ କାରଣଟା ତ ସେ ନିଜେ ଭୁଲିଯାଇଛନ୍ତି! ସେ କହିଲେ- କାରଣ ଅଛି। ତୁମ ଭଳି କିଶୋର ଅବସ୍ଥାରେ ମୁଁ ଯେତେବେଳେ ସନ୍ନ୍ୟାସୀ ଭାବେ ନିଜ ଜୀବନ ଆରମ୍ଭ କଲି ସେତିକି ବେଳେ ନିଜ ଇନ୍ଦ୍ରିୟକୁ ଜୟ କରିବାର ପଣ କଲି। କଠୋର ସାଧନା ବଳରେ ମୁଁ ସିଦ୍ଧରେ ପରିଣତ ହେଲି। ସେଇ ଦିନ ଠାରୁ ମୁଁ ଇନ୍ଦ୍ରିୟ-ବିଜୟର ପ୍ରତୀକ ଭାବେ ପବିତ୍ର ଶ୍ବେତ ବର୍ଣ୍ଣକୁ ନିଜ ପୋଷାକର ରଙ୍ଗ ଭାବେ ଗ୍ରହଣ କରି ନେଲି। ପବିତ୍ରତାର ରଙ୍ଗ ହେଉଛି ଧଳା। ତେଣୁ ମୁଁ ଚାହେଁ ସମସ୍ତେ ଶ୍ବେତ ବସ୍ତ୍ର ପିନ୍ଧନ୍ତୁ।
ଏହା ଶୁଣି ପିଲାଟି କହିଲା- ଆପଣ ଶ୍ବେତ ବର୍ଣ୍ଣର ପୋଷାକ ପିନ୍ଧିବା ପଛରେ ଏକ ସୁନ୍ଦର କାରଣ ଓ କାହାଣୀ ଅଛି। କିନ୍ତୁ ଆମମାନଙ୍କ ପରିଧାନ ପଛରେ କ’ଣ ଏମିତି କାରଣ ରହିବା ଉଚିତ ନୁହେଁ? ଆପଣଙ୍କ ଭଳି ନହୋଇ ଆପଣଙ୍କ ଭଳି ପୋଷାକ ପିନ୍ଧିବାର ଯୋଗ୍ୟତା ମୋର ଅଛି କି? ଗୁରୁ ହସିଲେ ଓ କିଶୋରକୁ ଆଶୀର୍ବାଦ କଲେ ଓ ଶିଷ୍ୟ ଭାବେ ଗ୍ରହଣ କଲେ। କହିବା ବାହୁଲ୍ୟ ଶ୍ବେତ ପୋଷାକ ପରିଧାନର ନିୟମ ବଦଳିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/foot-kathatia.jpg)