ଥରେ ନାରଦ ଭଗବାନ ବିଷ୍ଣୁଙ୍କୁ ପଚାରିଲେ- ପ୍ରଭୁ, ମର୍ତ୍ତ୍ୟର ଲୋକେ ଏତେ ମିଛ କହନ୍ତି କାହିଁକି?
ଭଗବାନ କହିଲେ- କାରଣ ସେଠି ମିଛ ନ କହିଲେ ଚଳିବ ନାହିଁ।
ନାରଦ ଏ ପ୍ରକାର ଉତ୍ତର ଆଶା କରି ନ ଥିଲେ। ସେ କହିଲେ- ପ୍ରଭୁ, ଆପଣ ଏଭଳି କଥା କହୁଛନ୍ତିି କେମିତି? ଆପଣ ମୋତେ ପୃଥିବୀକୁ ପଠାନ୍ତୁ। ଦେଖିବେ ମୁଁ ସେଠି ସତ୍ୟବାଦୀ ହୋଇ ଚଳିପାରିବି।
ବିଷ୍ଣୁ କହିଲେ- ଯାଅ। କିନ୍ତୁ ପୃଥିବୀରେ ତୁମେ କେବଳ ସତ କଥା ହିଁ କହିବ। ମିଛ କହିବାକୁ ତୁମ ଜିଭ ଲେଉଟିବ ନାହିଁ।
ନାରଦ ପୃଥିବୀକୁ ଆସିଲେ ଓ ସେ ହେଲେ ପରମ ସତ୍ୟବାଦୀ। ସତ ଛଡ଼ା ସେ ଆଉ କିଛି କହିପାରିଲେ ନାହିଁ।
କିନ୍ତୁ ଦେଖାଗଲା ଯେ ତାଙ୍କ ସତ କଥା ବହୁତ ଅଡୁଆ ପରିସ୍ଥିତି ସୃଷ୍ଟି କରୁଛି, ନାନା ପ୍ରକାର ବିଭ୍ରାଟ ସୃଷ୍ଟି କରୁଛି। କ୍ରମେ ପରିସ୍ଥିତି ଅସମ୍ଭାଳ ହେବାକୁ ଲାଗିଲା। ଏମିତି ହେଲା ଯେ ଯେଉଁ ଜାଗାରେ ସତ କହିବା କଥା ନୁହେଁ, ସେଠି କହି ଦେଇ ସେ ଅକଳରେ ପଡ଼ିଲେ। ତାଙ୍କ ସହିତ କାହାର ଭଲ ସ˚ପର୍କ ରହିଲା ନାହିଁ। ଲୋକେ ତାଙ୍କ ଠାରୁ ଦୂରେଇଲେ। ଏଣିକି ନିଜ ଜୀବନକୁ ଟିକିଏ ସୁଗମ କରିବା ଲାଗି ନାରଦ ଅନେକ ସ୍ଥାନରେ ସତ ନ କହି ଚୁପ୍ ରହିଲେ। କ୍ରମେ ଦେଖାଗଲା ଯେ ସେ କେବଳ ନିରବ ହିଁ ରହୁଛନ୍ତି।
ଏମିତି କିଛି କାଳ ପରେ ବ୍ୟତିବ୍ୟସ୍ତ ହୋଇ ନାରଦ ଭଗବାନଙ୍କୁ ପ୍ରାର୍ଥନା କରି କହିଲେ- ପ୍ରଭୁ ମୋତେ ଫେରାଇ ନିଅନ୍ତୁ।
ଭଗବାନ ତାଙ୍କ କଥା ରଖିଲେ। ନାରଦ କହିଲେ- ପ୍ରଭୁ ଏଇ କିଛି ଦିନ ଭିତରେ ମୁଁ ଗୋଟିଏ କଥା ବୁଝିଗଲି। ତାହା ହେଲା ସତ କହିବା ବିଶେଷ କଷ୍ଟକର ନୁହେଁ। ତାହା ସବୁଠାରୁ ସରଳ କଥା। କିନ୍ତୁ ସତ ଶୁଣି ସହିପାରିବା ସବୁଠାରୁ କଷ୍ଟକର। ତେଣୁ ଏଭଳି ଅବସ୍ଥା।
ଭ୍ରମ ତୁଟିଲା
କଥାଟିଏ-ଯାଯାବର