ଗୋଟିଏ ମନ୍ଦିରରେ ଜଣେ ଦରିଦ୍ର ବ୍ରାହ୍ମଣ ପୂଜା କରୁଥିଲେ। ଅତି ଅଭାବରେ ସେ ପରିବାର ଚଳାଉଥିଲେ। ଦିନେ ସେ ଦେଖିଲେ ଏକ ବିଚିତ୍ର ଦୃଶ୍ୟ। ଜଣେ ଯୁବକ କାନ୍ଧରେ ଟାଙ୍ଗିଆଟିଏ ଧରି ମନ୍ଦିରକୁ ଆସିଲା। ସିଧା ଯାଇ ଠାକୁରଙ୍କ ପ୍ରତିମୂର୍ତ୍ତି ଆଗରେ ଛିଡ଼ା ହୋଇ ଟାଙ୍ଗିଆ ଉଞ୍ଚାଇ ଧମକ ଦେବା ସ୍ବରରେ କହିଲା- ମୋତେ କିଛି ଟଙ୍କା ଦିଅ। ନଚେତ୍ ହାଣି ପକାଇବି।
ବ୍ରାହ୍ମଣ ଏଭଳି ଆସ୍ପର୍ଦ୍ଧା ଦେଖି ଆଶ୍ଚର୍ଯ୍ୟ ହେବା ବେଳକୁ ସେହି ଯୁବକ ଆଗରେ ଝଣଝଣ ହୋଇ ଗଳି ପଡ଼ିଲା ଅନେକ ମୁଦ୍ରା। ସେ ତାହାକୁ ନେଇ ଚାଲିଗଲା।
ବ୍ରାହ୍ମଣ ଏହା ଦେଖି ଏତେ ବିସ୍ମିତ ହେଲେ ଯେ ଘରକୁ ଦୌଡ଼ିଲେ ଏବଂ ନିଜ ପତ୍ନୀଙ୍କୁ ଏ କଥା କହିଲେ। ପତ୍ନୀ ଏହା ଶୁଣି କହିଲେ ଯେ ଏ ଠାକୁରମାନେ ସେୟା। ତପେ ବର ନ ହେଲେ କୋପେ ବର। ତେବେ ତପ କରି ଥକିଯିବ ସିନା, କୋପ କଲେ ତତ୍କ୍ଷଣାତ୍ ସବୁ ମିଳିଯିବ।
ବ୍ରାହ୍ମଣ ଯେମିତି ଏବେ ବାଟ ପାଇଗଲେ। ପଡ଼ିଶା ଘରୁ ଟାଙ୍ଗିଆଟିଏ ମାଗି ନେଇ ମନ୍ଦିରକୁ ଦୌଡ଼ିଲେ। ମନ୍ଦିରରେ କେହି ନ ଥିଲେ। ସେ ସକାଳେ ଦେଖିଥିବା ଭଳି ଟାଙ୍ଗିଆ ଉଞ୍ଚାଇ କିଛି ଟଙ୍କା ଦେବାକୁ ଧମକ ଦେଲେ। କିନ୍ତୁ କିଛି ଲାଭ ହେଲା ନାହିଁ। ବାରମ୍ବାର ଏମିତି ଧମକ ଦେବା ସତ୍ତ୍ବେ ଯେତେବେଳେ କିଛି ହେଲା ନାହିଁ, ସେ କାନ୍ଦି ପକାଇଲେ।
ଏତିକି ବେଳେ ଦୈବ ବାଣୀ ହେଲା- ଶୁଣ ବାବୁ, ସେ ଯାହା ମାଗିଲା ତାକୁ ଦେଇ ପକାଇବାର କାରଣ ହେଲା ସେମିତି କରି ନ ଥିଲେ ସେ ସତକୁ ସତ ହାଣି ପକାନ୍ତା। ତୁମ ଭଳି କାନ୍ଦନ୍ତା ନାହିଁ। ସେ ଥିଲା କ୍ଷତ୍ରିୟ ପିଲା। ଏଭଳି କରିବା ତା’ର ସ୍ବଧର୍ମ। ତୁମର ସ୍ବଧର୍ମ ପୂଜା କରିବା, ଏମିତି ହାଣି ପକାଇବା ନୁହେଁ। ତେଣୁ ମୋର ଗୋଟିଏ ଉପଦେଶ ସ୍ବଧର୍ମ ଅନୁସାରେ ରହ।
ସ୍ବଧର୍ମ ଅନୁସାରେ ରହ
କଥାଟିଏ-ଯାଯାବର