ଯୀଶୁଖ୍ରୀଷ୍ଟ ତାଙ୍କ ଅନୁଗାମୀମାନଙ୍କୁ କହିଲେ- ତୁମେମାନେ ମୋ ପଛ‌େର ଆସ। ଯିଏ ତୁମମାନଙ୍କୁ ଅଟକାଇବ, ତାକୁ ମାରି ଦିଅ।
ଏ କଥା କହି ଜଣେ ବ୍ୟକ୍ତି ୟୁଜିକେଙ୍କୁ ପଚାରିଲେ- ଯୀଶୁ ତ ଥିଲେ ‌େପ୍ରମ ଓ କରୁଣାର ଅବତାର। ସେ କିଭଳି ‘ମାରିବା’ ଭଳି କଥାଟିଏ କହି ପାରିଲେ?
ୟୁଜିକେ କହିଲେ- ଆପଣ ଏହାର ପ୍ରକୃତ ଅର୍ଥ ବୁଝି ନାହାନ୍ତି। ଯୀଶୁ ଜାଣିଥିଲେ ଯେ କୌଣସି ବାହାର ଶକ୍ତି ବା ବ୍ୟକ୍ତି ସେମାନଙ୍କୁ ତାଙ୍କ ପଛରେ ଯିବାକୁ ଅଟକାଇ ପାରିବ ନାହିଁ। ଯାହା ଅଟକାଇବ, ତାହା ହେଉଛି ସେମାନଙ୍କ ଅନ୍ତର ଭିତରର କୁଣ୍ଠା ବା ଭୟ ବା ଘୃଣା ଇତ୍ୟାଦି। ତେଣୁ ଯୀଶୁ କହିଥିଲେ ଯେ ମନ ଭିତରେ ଥିବା ଏହି ଭଳି ନକାରାତ୍ମକ ଭାବନାକୁ ମାରି ଦିଅ।
ୟୁଜିକେ କହିଲେ- ଧରନ୍ତୁ ଆପଣ ସନ୍ନ୍ୟାସ ନେବାକୁ ଚାହିଁଲେ ଏବଂ ମନ କଥା ପତ୍ନୀଙ୍କୁ କହିଲେ। ପତ୍ନୀ ସ୍ବାଭାବିକ ଭାବେ ମନା କରିବେ ଏବଂ ଆପଣ ତାହା ମାନି ସନ୍ନ୍ୟାସ ନେବେ ନାହିଁ। ଏହାର ଅର୍ଥ ନୁହେଁ କି ପତ୍ନୀ ଆପଣଙ୍କ ପଥରେ ବାଧକ ହେଲେ! ଏଥିରେ ପ୍ରକୃତ ବାଧକ ହେଲା ଆପଣଙ୍କ ଠାରେ ଦୃଢ଼ ନିଶ୍ଚୟର ଅଭାବ; ପତ୍ନୀଙ୍କ ବାରଣ କେବଳ ଆପଣଙ୍କର ଏକ ବାହାନା।
ଅତି ଅଳ୍ପ ବୟସରୁ ମହାବୀର ସନ୍ନ୍ୟାସ ନେଇ ଘର ଓ ପରିବାର ଛାଡ଼ିବାକୁ ଚାହିଁଲେ। କିନ୍ତୁ, ବଡ଼ଭାଇ ତାଙ୍କୁ ମନା କଲେ। ଏମିତି ଦୁଇ ଥର ସେ ଅଟକି ରହିଗଲେ। କିନ୍ତୁ ଏହା ପରେ ମହାବୀର ପରିବାର ଭିତରେ ଏଭଳି ଭାବେ ରହିବାକୁ ଲାଗିଲେ, ସତେ ଯେମିତି ସେ ଥାଇ ସୁଦ୍ଧା ନାହାନ୍ତି, ସତେ ଯେମିତି ‌େସ ପବନରେ ମିଳେଇ ଯାଇଛନ୍ତି। ଏଭଳି ସ୍ଥିତିରେ ବଡ଼ ଭାଇ ସ୍ବୟଂ କହିଲେ- ସେ ଆମ ଭିତରେ ଥାଇ ବି ନ ଥିଲା ଭଳି ହୋଇ ଗଲେଣି। ତେଣୁ ତାଙ୍କୁ ଯିବାକୁ ଦିଅ।
ୟୁଜିକେ କହିଲେ- ମନ ଭିତରେ ଥିବା ଶତ୍ରୁ ଓ ମିତ୍ରକୁ ଚିହ୍ନି କାହାକୁ ରଖିବ କାହାକୁ ମାରିବ ତାହା ବିବେଚନା କରିବା ବଡ଼ କଥା। ଏହା ହିଁ ଯୀଶୁଖ୍ରୀଷ୍ଟ କହିବାକୁ ଚାହିଁଥିଲେ।