ୟୁନାନରେ ଥିଲେ ଜଣେ ଅତ୍ୟନ୍ତ ପ୍ରସିଦ୍ଧ ଜ୍ୟୋତିଷ। କୁହାଯାଉଥିଲା ଯେ ତାଙ୍କ ଭବିଷ୍ୟତ ବାଣୀ କଦାପି ମିଛ ହେଉ ନ ଥିଲା।
ଦିନକର କଥା। ନିଶାର୍ଧରେ ଗଣନା କରି କରି ଯାଉଥିବା ବେଳେ ଜ୍ୟୋତିଷୀ ଜଣକ ଗଳିପଡ଼ିଲେ ଗୋଟିଏ ଗଭୀର ଗାତରେ। ଯେତେ ଚେଷ୍ଟା କଲେ ବି ସେ ଗାତରୁ ବାହାରି ପାରିଲେ ନାହିଁ। ତେଣୁ ସେ ତାଙ୍କୁ ରକ୍ଷା କରିବା ଲାଗି ଡାକ ପକାଇଲେ। କିନ୍ତୁ ରାତି ଅଧରେ ତାଙ୍କ ଡାକ ଶୁଣିବ କିଏ?
ତେବେ, ହଠାତ୍ ସେ ଶୁଣିଲେ ପାଦ ଶବ୍ଦ। କିଛି ଦୂରରେ ଗୋଟିଏ କୁଡ଼ିଆରେ ଜଣେ ଯୁବକ ରହୁଥିଲେ, ଯିଏ କି ଜ୍ୟୋତିଷୀଙ୍କ ଚିତ୍କାରକୁ ଠାବ କରି ସେଠାରେ ପହଞ୍ଚି ଥିଲେ। ବଡ଼ କଷ୍ଟରେ ସେ ଜ୍ୟୋତିଷଙ୍କୁ ଗାତରୁ ବାହାର କଲେ। ଗାତରୁ ବାହାରିବା ପରେ ଜ୍ୟୋତିଷ କହିଲେ- ତୁମକୁ ମୋର କୃତଜ୍ଞତା। ତୁମେ ବୋଧହୁଏ ଜାଣି ନାହଁ ଯେ ତୁମେ ଆଜି ଯାହାକୁ ଉଦ୍ଧାର କରିଛ ସେ ହେଉଛି ୟୁନାନର ସବୁଠାରୁ ବଡ଼ ଜ୍ୟୋତିଷ। ରାଜା ମହାରାଜାମାନେ ସେମାନଙ୍କ ଭବିଷ୍ୟତ କଥା ଜାଣିବା ଲାଗି ମୋତେ ଲୋଡ଼ନ୍ତି। ଥରକର ଗଣନା ଲାଗି ମୁଁ ଏକ ହଜାର ସ୍ବର୍ଣ୍ଣ ମୁଦ୍ରା ଦାବି କରିଥାଏ। ତୁମେ ମୋର ଜୀବନ ବଞ୍ଚାଇଛ। ତେଣୁ ତୁମର ଭବିଷ୍ୟତ ମୁଁ ମାଗଣାରେ ବତାଇବି। କାଲି ତୁମେ ଏଥେନ୍ସକୁ ଆସ।
ଏହା ଶୁଣି ଯୁବକ ହସିଲେ। ସେ କହିଲେ- ଦୂର ଭବିଷ୍ୟତ ବିଷୟରେ ପରେ କହିବ। ପ୍ରଥମେ ପାଦେ ଦୂରତାରେ ଥିବା ଗାତକୁ ଚିହ୍ନିବାରେ ସମର୍ଥ ହୁଅ।
ଜ୍ୟୋତିଷ ଓ ଯୁବକ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2023/07/54sfh654f6hfhhf.jpg)