ଥରେ ଗୋଟିଏ ବଣୁଆ ଘୋଡ଼ା ଜଙ୍ଗଲ ଧାରକୁ ଆସିଗଲା। ସେତେବେଳକୁ ରାଜା ଏକ ବଡ଼ ଚିକ୍କଣିଆ ଘୋଡ଼ାରେ ଚଢ଼ି ଯାଉଥିଲେ। ତାକୁ ଦେଖି ବଣୁଆ ଘୋଡ଼ା ମନେ ମନେ ଭାବିଲା- ବାଃରେ ଜୀବନ! ଏମିତି ଜୀବନରେ ଅଛି ମଜା।
ଦିନେ ଦୈବାତ୍‌ ତାକୁ ରାଜାଙ୍କ ଘୋଡ଼ା ସହିତ ଦେଖା ହେଲା ଓ ଗପିବା ଲାଗି ସୁଯୋଗଟିଏ ଜୁଟିଗଲା। ବଣୁଆ ଘୋଡ଼ା ତାକୁ କହିଲା- ଭାଇ ତୁମେ କେତେ ଭଲରେ ଅଛ! ତୁମ ମୁହଁରେ କେତେ ଅଳଙ୍କାର ଲାଗିଛି। ତୁମେ କି ସୁନ୍ଦର ଭାବେ ସଜେଇ ହୋଇଛ। ତୁମ ଶରୀର ଚିକ୍କଣ, ଲାଗୁଛି ଯେମିତି ଲହୁଣି ବହୁଛି। ତୁମର କି ଭାଗ୍ୟ!
ରାଜାଙ୍କ ଘୋଡ଼ା କିନ୍ତୁ କହିଲା- ତୁମ କଥା ଠିକ୍‌ ନୁହେଁ। ତୁମେ ଭାବୁଛ କି ମୋତେ ପଚାରି ମୋ ପସନ୍ଦର ଅଳଙ୍କାର ମୋତେ ଦିଆଯାଇଛି? ରାଜାଙ୍କୁ ଯେମିତି ଭଲ ଲାଗୁଛି ସେମିତି ମୋତେ ସଜାଉଛନ୍ତି। ସେଥିରେ ମୋ ଶ୍ବାସରୁଦ୍ଧ ହେବା ଭଳି ଲାଗୁଛି। ତୁମ ଜଙ୍ଗଲ ଜୀବନ କେତେ ଭଲ, ତୁମେମାନେ କେତେ ସ୍ବାଧୀନ!
ବଣୁଆ ଘୋଡ଼ା କହିଲା- ତୁମେ ଯାହା କହିଲ ତାହା ଠିକ୍‌। ହେଲେ, ଆମ ଜୀବନ ପ୍ରତି ସର୍ବଦା ବିପଦ ଥାଏ। ବଣୁଆ କୁକୁରମାନଙ୍କ ଠାରୁ ରକ୍ଷା ପାଇବାକୁ ହେଲେ ଜୋର‌୍‌ରେ ଦୌଡ଼ିବାକୁ ପଡ଼େ। କିନ୍ତୁ ତୁମ ଜୀବନ ସୁରକ୍ଷିତ। ତୁମ ଚାଲିର ଠାଣି କେତେ ସୁନ୍ଦର!
ରାଜାଙ୍କ ଘୋଡ଼ା କହିଲା- ମୁଁ ମାନୁଛି ମୋ ଚାଲିବା ଠାଣିରେ ତୁମେ ମୁଗ୍‌ଧ। କିନ୍ତୁ ଏ ଠାଣି ସବୁବେଳେ ନ ଥାଏ। ଯୁଦ୍ଧ ହେଲେ ମୋତେ ବି ବିପଦ ବରଣ କରିବାକୁ ହୁଏ। ବଣୁଆ କୁକୁର ଆସିଲେ ତୁମ ପାଇଁ ଅନ୍ତତଃ କୁଆଡ଼େ ଦୌଡ଼ିବ କେମିତି ଦୌଡ଼ିବ, ତା’ର ସ୍ବାଧୀନତା ରହିଛି। ଯୁଦ୍ଧରେ ସେତକ ମିଳେନା। ସେଠାରେ ବି ତୁମେ ରାଜାଙ୍କ ଅଧୀନ, ତାଙ୍କ ଇଚ୍ଛାରେ ତୁମେ ଚାଲିବ।