ଥରେ ଗୌତମ ବୁଦ୍ଧ ତାଙ୍କର କିଛି ଅନୁଗାମୀଙ୍କୁ ସାଙ୍ଗରେ ନେଇ ଯାଉଥିଲେ। ସେ ଦେଖିଲେ ତାଙ୍କର ଜଣେ ଶିଷ୍ୟ କୌଣସି କାରଣରୁ ଅଶାନ୍ତ ରହୁଛି, ସମସ୍ତଙ୍କ ସହିତ ତା’ର କଳହ ହେଉଛି।
ବୁଦ୍ଧ ତାକୁ କହିଲେ- ବାବୁ, ମୋ ଲାଗି ଅଦୂରରେ ଥିବା ପୋଖରୀରୁ ପିଇବା ଲାଗି ପାଣି ନେଇ ଆସ ତ!
ଏ କଥା ଶୁଣି ଶିଷ୍ୟଟି ପୋଖରୀ ଆଡ଼କୁ ଚାଲିଲା। ପୋଖରୀ ଆଡ଼କୁ ଯାଉଥିବା ଶିଷ୍ୟର ମନ ଆନ୍ଦୋଳିତ ହେଉଥାଏ। ଖରା ଦିନ। ପୋଖରୀରେ ବହୁତ କମ୍‌ ପାଣି ଥିଲା। ସେ ଦେଖିଲା ଯେ ଗୋଟିଏ ଶଗଡ଼ ଗାଡ଼ି ପୋଖରୀ ଭିତର ଦେଇ ପଶି ଆର ପଟକୁ ଗଲା। ପାଣି ପୂରା ଗୋଳିଆ ହୋଇଗଲା। ବୁଦ୍ଧଙ୍କୁ କେମିତି ସେଇ ଗୋଳିଆ ପାଣି ଦେବ ବୋଲି ଭାବି ସେ ପାଣି ନ ଆଣି ଫେରି ଆସିଲା ଏବ˚ ତାଙ୍କୁ ସେଇ କଥା କହିଲା।
କିଛି ସମୟ ପରେ ବୁଦ୍ଧ କହିଲେ ଏବେ ଯାଅ ପାଣି ନେଇ ଆସିବ। ମୋତେ ଭୀଷଣ ଶୋଷ।
ସେ ପୁଣି ପାଣି ଆଣିବା ଲାଗି ଗଲା। ଏଥର ପୋଖରୀର ପାଣି ଶାନ୍ତ ଥିଲା। ପାଣି କାଚକେନ୍ଦୁ ଭଳି ସଫା ଥିଲା। ସେ ଗୋଟିଏ ପାତ୍ରରେ ପାଣି ନେଇ ଆସିଲା।
ବୁଦ୍ଧ ପାଣି ପିଇ ସାରି ପଚାରିଲେ- ପାଣିକୁ ସଫା କରିବାକୁ ତୁମେ କିଛି କଲ କି?
ଶିଷ୍ୟ କହିଲା- ନା, ଆପେ ଆପେ ତାହା ସଫା ହୋଇଯାଇଛି।
ବୁଦ୍ଧ କହିଲେ- ଯେତେବେଳେ ପାଣି ଅଶାନ୍ତ ଥାଏ, ଗୋଳିଆ ହୋଇଯାଏ। କିଛି ସମୟ ସ୍ଥିର ହୋଇଗଲେ, ମଇଳା ସବୁ ତଳେ ବସିଯାଏ। ସେମିତି ମନ। ମନ ଅଶାନ୍ତ ଥିଲା ବେଳେ ବିଚାର ଶକ୍ତି ଚାଲିଯାଏ। କିଛି ସମୟ ଚୁପ୍‌ ହୋଇ ରହିଗଲେ, ତାହା ପୁଣି ସ୍ବଚ୍ଛ ହୋଇଯାଏ ଏବ˚ ବିଚାର ଶକ୍ତି ଲେଉଟେ। ଏବେ ଏ ପାଣି ସଫା ତେଣୁ ମୁଁ ତାକୁ ପିଇ ପାରିଲି। ଏବେ ତୁମେ ନିଜ ମନକୁ ସଫା କର। ସ୍ଥିର ହୋଇ ଧୢାନରେ ବସ। ତାହା ହେଲେ ମନର ମଇଳା ବସିଯିବ ଓ ତୁମେ ଆଉ ବିଚଳିତ ହେବ ନାହିଁ।