ଜଣେ ବ୍ୟକ୍ତି ମୁଦି କିଣିବା ଲାଗି ଗଲେ। ମନ ପସନ୍ଦର ମୁଦିଟି ବାଛିଲେ। କିନ୍ତୁ ସେ ମୁଦିଟି କେବଳ ମୁଦି ଆଙ୍ଗୁଠିକୁ ଠିକ୍ ଖାପ ଖାଇଲା। ସେ ମଝି ଆଙ୍ଗୁଠି ଓ କାଣୀ ଆଙ୍ଗୁଠିରେ ତାକୁ ପିନ୍ଧି ଦେଖିଲେ। କିନ୍ତୁ ମଝି ଆଙ୍ଗୁଠିକୁ ତା’ର ମାପ ଛୋଟ ହେଲା ବେଳକୁ କାଣୀ ଆଙ୍ଗୁଠିକୁ ତାହା ବଡ଼ ହେଲା।
ସେ ମୁଦି କିଣି ଘରକୁ ଫେରିଲେ ସିନା, ମଝି ଆଙ୍ଗୁଠି ଓ କାଣୀ ଆଙ୍ଗୁଠି ମନ ଖରାପ କଲେ। କାରଣ ସେମାନଙ୍କୁ ମୁଦି ପିନ୍ଧିବାର ସୌଭାଗ୍ୟ ମିଳିଲା ନାହିଁ। ତେଣୁ ସେମାନେ କାମ କରିବା ବନ୍ଦ କରିଦେଲେ। ସେଇ ଲୋକ ଏହା ବୁଝିପାରି ତୁରନ୍ତ ଦୋକାନକୁ ଯାଇ ବିଶି, ମଝି ଓ କାଣୀ ଲାଗି ତିନିଟି ମୁଦି କିଣି ଆଣିଲେ। ଏବେ ସବୁ ଆଙ୍ଗୁଠି ଖୁସି।
ତେବେ ସେଇ ରାତିରେ ତାଙ୍କ ମନକୁ ଏକ ଭାବନା ଆସିଲା- ଆରେ ବୁଢ଼ା ଆଙ୍ଗୁଠିକୁ ତ ଭୁଲିଗଲି! ତା’ର କିଛି ଦାବି ନାହିଁ ବୋଲି ତା’ କଥା ଭୁଲିଗଲି। କିନ୍ତୁ ସେ ତ ହେଉଛି ହାତର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଆଙ୍ଗୁଠି। ସେ କାମ କରିବା ବନ୍ଦ କଲେ ହାତର କିଛି ମୂଲ୍ୟ ରହିବ ନାହିଁ!
କିନ୍ତୁ ବୁଢ଼ା ଆଙ୍ଗୁଠି କହିଲା- ମୁଦି ପିନ୍ଧିବା ବଡ଼ କଥା ନୁହେଁ। ମୋର ଗୁଣ ଯୋଗୁଁ ତୁମେ ମୋ କଥା ଚିନ୍ତା କଲ ତାହା ସବୁଠାରୁ ବଡ଼ କଥା।
ସେହି ବ୍ୟକ୍ତି ଏବେ ବୁଝିଲେ ପ୍ରଧାନ ଦାୟିତ୍ବ ସଂପାଦନ କରୁଥିବା ବେଳେ ତିଳେ ମାତ୍ର ଅହମିକାର ଶିକାର ହୋଇ ନ ଥିବା ବୁଢ଼ା ଆଙ୍ଗୁଠି ହିଁ ଗୁରୁ ତୁଲ୍ୟ।
ହାତର ବୁଢ଼ା ଆଙ୍ଗୁଠି
କଥାଟିଏ-ଯାଯାବର