ଗ୍ରୀସ୍ର ଏକ ନିଭୃତ ଗାଁର ଜଣେ ଅତ୍ୟନ୍ତ ପ୍ରବୁଦ୍ଧ ବୃଦ୍ଧ ଘୋଷଣା କଲେ ଯେ ଜଣେ ପରମ ଜ୍ଞାନୀ ବ୍ୟକ୍ତିଙ୍କ ଆବିର୍ଭାବ ହୋଇଛି ଏଥେନ୍ସରେ। ତାଙ୍କ ନାମ ହେଉଛି ସକ୍ରେଟିସ୍।
ଏ କଥା ଶୁଣି ସେଇ ଗାଁର ଲୋକେ ଏଥେନ୍ସ ଅଭିମୁଖେ ଚାଲିଲେ। ସେମାନେ ସକ୍ରେଟିସ୍ଙ୍କ ଘରେ ପହଞ୍ଚିଲେ ଏବ˚ କହିଲେ- ଆମେମାନେ ବହୁ ଦୂରରୁ ଆସିଛୁ। ଆମ ଗାଁର ଯେ ସବୁଠାରୁ ପ୍ରାଜ୍ଞ, ସେ କହିଲେ ଯେ ଆପଣ ହେଉଛନ୍ତି ପରମ ଜ୍ଞାନୀ। ଆପଣ ଆମମାନଙ୍କୁ ଆପଣଙ୍କ ପରମ ଜ୍ଞାନସୁଲଭ ମୁକ୍ତାରୁ କିଛି ଦିଅନ୍ତୁ।
ସକ୍ରେଟିସ୍ ଏହା ଶୁଣି କହିଲେ- ବଡ଼ ଭୁଲ୍ଟାଏ କରିଛ। ମୁଁ ଯେତେବେଳେ ତରୁଣ ଥିଲି, ସେତିକି ବେଳେ ମୁଁ ନିଜେ ଭାବି ନେଇଥିଲି ଯେ ମୁଁ ଜଣେ ଆସାଧାରଣ ଜ୍ଞାନୀ। କିନ୍ତୁ ଏବେ ମୁଁ ବୁଝିପାରୁଛି ଯେ ଅସଲରେ ମୋ ପାଖରେ ଥିବା ଜ୍ଞାନ ଅତ୍ୟନ୍ତ ସୀମିତ। ମୋତେ ଲାଗୁଛି ଯେ ମୁଁ ଜ୍ଞାନର ସାଗରରୁ ବୁନ୍ଦାଏ ବି ଜଳ ପାନ କରିପାରିନାହିଁ।
ଲୋକେ ନିରାଶ ହୋଇ ଫେରିଲେ ଏବ˚ ଗାଁରେ ସେଇ ପ୍ରବୁଦ୍ଧ ବୃଦ୍ଧଙ୍କୁ କହିଲେ- ସକ୍ରେଟିସ ତ ସ୍ବୟ˚ ମନା କଲେ ଯେ ସେ ଜ୍ଞାନୀ ନୁହନ୍ତି ବୋଲି, ଆପଣ କେମିତି ତାଙ୍କୁ ପରମ ଜ୍ଞାନୀ ବୋଲି କହିଲେ।
ବୃଦ୍ଧ କହିଲେ- ଆରେ ସେଇ ତ ପରମ ଜ୍ଞାନ। ଅସୀମ ଜ୍ଞାନ ଥିବା ସତ୍ତ୍ବେ କିଛି ଜାଣି ନାହିଁ ବୋଲି ଅନୁଭବ କରିବା ହେଉଛି ପରମ ଜ୍ଞାନ।
କଥାଟିଏ: ପରମ ଜ୍ଞାନ
/sambad/media/post_attachments/wp-content/uploads/2021/12/foot.jpg)