ସନ୍ଥ ଫରିଦଙ୍କ ତାରୁଣ୍ୟ ବେଳର କଥା। ଜଣେ ଗୁରୁଙ୍କ ସନ୍ଧାନରେ ସେ ଥାଆନ୍ତି। ସେମିତି ଗୁରୁ ଜଣେ ଜୁଟିଲେ। ଏବେ ଗୁରୁ ଓ ଚେଲା ବିଭିନ୍ନ ସ୍ଥାନ ଭ୍ରମଣ କରିବାକୁ ବାହାରି ଗଲେ।
ଦିନେ ରାତିରେ ଏକ ସରାଇଖାନାରେ ଦୁହେଁ ଆଶ୍ରୟ ନେଲେ। ସେହି ପ୍ରକୋଷ୍ଠରେ ଜଣେ ଧନୀ ସୌଦାଗର ମଧ୍ୟ ରହୁଥିଲେ। ଅତି ଭୋରରୁ ସୌଦାଗର ଜଣକ ପ୍ରକୋଷ୍ଠ ଛାଡ଼ି ଚାଲିଗଲେ। ସେ ଯିବାର କିଛି ସମୟ ପରେ ଉଭୟ ଗୁରୁ ଓ ଚେଲା ଯିବାକୁ ପ୍ରସ୍ତୁତ ହେଲେ।
ବାହାରିବା ପୂର୍ବରୁ ଗୁରୁ ଫରିଦଙ୍କୁ କହିଲେ- ଘରକୁ ସଫା କରି ଦିଅ। ଅନ୍ତତଃ ଯିବା ପୂର୍ବରୁ ଆମେ ତାହାକୁ ପରିଷ୍କାର କରି ଯିବା ଉଚିତ।
ଫରିଦ ଏହା ଶୁଣି ଘର ଓଳାଇବାରେ ମନ ଦେଲେ। ଗୁରୁ ହଠାତ୍‌ ଦେଖିଲେ ଯେ ଘରର ଅଳିଆ ସହିତ କିଛି ଚକଚକ କରୁଥିବା ପଥର ମଧ୍ୟ ବାହାରିଛି, ଯାହାକୁ ଫରିଦ ଏକାଠି କରି ବାହାରେ ଫିଙ୍ଗି ଦେଲେ।
ଗୁରୁ ତାଙ୍କୁ ମନା କରିବା ପୂର୍ବରୁ ଫରିଦ ସେଭଳି କରି ସାରିଥିଲେ।
ଗୁରୁ କହିଲେ- ନିର୍ବୋଧ କ’ଣ କଲୁ? ମଇଳା ସାଙ୍ଗରେ ତୁ କ’ଣ ଫୋପାଡ଼ି ଦେଲୁ ଜାଣିଛୁ ତ?
ଫରିଦ କହିଲେ- ଜାଣିଛି, ହୀରା!
ସେହି ‌େସୗଦାଗରଙ୍କ ମୁଣିରୁ ସମ୍ଭବତଃ କିଛି ହୀରା ପଥର ଖସି ପଡ଼ିଥିଲା।
ଗୁରୁ କହିଲେ- ହେ ଭଗବାନ, ହୀରା ବୋଲି ଜାଣି ସୁଦ୍ଧା ଫିଙ୍ଗି ଦେଲୁ?
ଫରିଦ କହିଲେ- ଆପଣଙ୍କୁ ତାହା ହୀରା ଭଳି ଦିଶିଲା, ମୋତେ କିନ୍ତୁ ସେମିତି ଦିଶିଲା ନାହିଁ। ସେ ସବୁ ସାଧାରଣ ପଥର ଭଳି ଲାଗିଲା।
ଗୁରୁ ଏହା ପରେ ହତାଶ ହୋଇ ଆଉ କିଛି କହି ନ ପାରି ବାହାରେ ପଡ଼ିଥିବା ଅଳିଆ ଘାଣ୍ଟିବାରେ ଲାଗିଗଲେ। ଫରିଦ କିନ୍ତୁ ଏହି ଗୁରୁଙ୍କୁ ପରିତ୍ୟାଗ କରି ନୂଆ ଗୁରୁଙ୍କ ସନ୍ଧାନରେ ଚାଲିଲେ।