ଗୌତମ ବୁଦ୍ଧଙ୍କୁ ଆନନ୍ଦ ପଚାରିଲେ-ତଥାଗତ, ପ୍ରକୃତ ଶତ୍ରୁ କିଏ?
ଆନନ୍ଦଙ୍କ ପ୍ରଶ୍ନ ସରିଛି କି ନାହିଁ ଜଣେ କ୍ଷତବିକ୍ଷତ ଯୁବକ ଦୌଡ଼ି ଆସି ସେଠାରେ ଟଳି ପଡ଼ିଲା। ଗୌତମ ଓ ଆନନ୍ଦ ଉଭୟେ ଲାଗି ପଡ଼ି ତା’ର ସେବା କଲେ। ଆନନ୍ଦଙ୍କ ପ୍ରଶ୍ନର ଉତ୍ତର ମିଳିଲା ନାହିଁ।
କିଛି ଦିନ ପରେ ଯୁବକଟି ଭଲ ହୋଇଗଲା। ସେଇ ସମୟ ଭିତରେ ବୁଦ୍ଧଙ୍କ କଥା, ଆଚରଣ ଓ ସାନ୍ନିଧୢରେ ପ୍ରଭାବିତ ହୋଇ ସେ ବୁଦ୍ଧଙ୍କ ଶିଷ୍ୟତ୍ବ ଗ୍ରହଣ କରି ଏକ ଭିକ୍ଷୁରେ ପରିଣତ ହେଲା ଓ ବୁଦ୍ଧଙ୍କ ସହିତ ରହିଲା।
କିଛି ଦିନ ପରେ ପୁଣି ଆନନ୍ଦ ସେଇ ପ୍ରଶ୍ନ ପଚାରିଲେ। ଏବେ ବୁଦ୍ଧ ସେଇ ନୂତନ ଭାବେ ଯୋଗ ଦେଇଥିବା ଯୁବକଙ୍କୁ ପ୍ରଶ୍ନ କଲେ- କହ, ପ୍ରକୃତ ଶତ୍ରୁ କିଏ?
ଯୁବକଜଣକ କହିଲେ- ଆଗରୁ ମୁଁ ଥିଲି ଜଣେ ଦୁଷ୍ଟ ଲୋକ। ସେତେବେଳେ ମୋର ଅନେକ ଶତ୍ରୁ ଥିଲେ ଏବ˚ ମୁଁ ବି ଅନେକଙ୍କ ଶତ୍ରୁ ଥିଲି। କିନ୍ତୁ ମାର୍ଗ ବଦଳାଇ ସତ୍ ପଥରେ ଆସିବା ପରେ ମୋର କେହି ଶତ୍ରୁ ନାହାନ୍ତି।
ବୁଦ୍ଧ ଏଇଠି କହିଲେ- ତୁମେ ଯାହା ବୁଝିଛ ତାହା କେବଳ ଆ˚ଶିକ ସତ୍ୟ। ଅସଲରେ ସତ୍ ପଥରେ ଥିଲା ବେଳେ ତୁମେ ହିଁ ତୁମର ପରମ ମିତ୍ର ହୋଇଯାଅ। କୁପଥରେ ଗଲେ ତୁମେ ହିଁ ତୁମର ଶତ୍ରୁ ହୋଇଯାଅ। ଅବାଟରେ ଗଲେ ବିଭିନ୍ନ ଆଡୁ ତୁମ ପ୍ରତି କ୍ଷତି ପହଞ୍ଚେ। ସେହି କ୍ଷତି ବାହାରୁ ଆସୁଥିଲେ ବି ପ୍ରକୃତରେ ତୁମେ ହିଁ ଏହାର କାରଣ। ସୁମାର୍ଗରେ ଗଲେ ତୁମେ କେବଳ ଶ୍ରଦ୍ଧା ଓ ଭକ୍ତି ପାଅ। ଏ ସବୁ ପାଇବା ପଛରେ ବି କାରଣ କେବଳ ତୁମେ। ତେଣୁ ବାହାରେ ଶତ୍ରୁକୁ ଖୋଜ ନାହିଁ। କେବଳ ତୁମେ ହିଁ ତୁମର ପରମ ମିତ୍ର ବା ଚରମ ଶତ୍ରୁ।
ପୂର୍ବବର୍ତ୍ତୀ ଖବର