ଗେଲବସରିଆ ପୁଅ ବାପାଙ୍କୁ ପଚାରିଲା- ବାପା, ତୁମ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଲୋକ କିଏ?
ବାପା କିଛି ସମୟ ଚିନ୍ତା କଲେ କିନ୍ତୁ କିଛି କହିଲେ ନାହିଁ। ପୁଅର ମନ ଭାଙ୍ଗିଗଲା। ସେ ଭାବିଲା- ମୁଁ ବାପାଙ୍କ ସବୁଠାରୁ ପ୍ରିୟ। ତଥାପି ବାପା ତାଙ୍କ ଲାଗି ସବୁଠାରୁ ଗୁରୁତ୍ବପୂର୍ଣ୍ଣ କିଏ ତାହା କହିପାରିଲେ ନାହିଁ?
କିଛି ଦିନ ଗଲା। ବାପା ଏବ˚ ପୁଅ ଏକାଠି କୌଣସି ଏକ କାମରେ ବାହାରକୁ ଗଲେ। ବାଟରେ ପଡ଼ିଲା ନଈଟିଏ। ନଈ ପାର ହେବା ଲାଗି ସେମାନେ ଡଙ୍ଗା ଚଢ଼ିଲେ। ଅଧା ବାଟରେ ହୋଇଛନ୍ତି, ହଠାତ୍ ଭୀଷଣ ଝଡ଼ ଆସିବାର ସ˚କେତ ମିଳିଲା। ପୁଅ ଏହା ଦେଖି ଡରିଗଲା। ନାଉରିଆ ଜଣକ ପୁଅ ମନରେ ଥିବା ଭୟ କଥା ଜାଣିପାରି କହିଲା- ବାବୁ, ଭୟ କରନାହିଁ। ମୁଁ ଅଛି। କିଛି ଅଘଟଣ ହେଲେ ମୁଁ ତୁମ ଦୁହିଁଙ୍କୁ ପାର କରି କୂଳରେ ଲଗାଇବି। ଏଥର ପୁଅ ମନରେ ଆଶ୍ବସ୍ତି ଭାବ ଫୁଟିଲା।
ଏତିକି ବେଳେ ବାପା ପୁଅକୁ କହିଲେ, ପୁଅ ତୁ ସେ ଦିନ ପଚାରିଥିଲୁ ନା ତୁମ ଲାଗି ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଲୋକ କିଏ? ଏବେ ଏଇ ନଈ ମଝିରେ ଯେତେବେଳେ ଭୀଷଣ ଝଡ଼ବର୍ଷାର ସୂଚନା ମିଳୁଛି ମୋ ଲାଗି ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛନ୍ତି ଏଇ ନାଉରିଆ।
କିଛି ସମୟ ପରେ ମେଘ ହଟିଗଲା। ନିର୍ମଳ ଆକାଶ ଦିଶିଲା। ପୁଅ ମନ ବି ନିର୍ମଳ ହୋଇଯାଇଥିଲା। ସେ ବୁଝିପାରିଲା ବାପାଙ୍କ କଥାର ଅର୍ଥ। ଯେଉଁ ଲୋକ ଯେତେବେଳେ ତୁମ ପାଖରେ ଥିବ ଏବ˚ ତୁମ ବିପଦଆପଦରେ ସାହାଯ୍ୟ କରିପାରୁଥିବ, ସେ ହେଉଛି ସେଇ ମୁହୂର୍ତ୍ତରେ ତୁମ ଲାଗି ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଲୋକ।