ଈଶ୍ବର କେଉଁଠି ଥାଆନ୍ତି

କଥାଟିଏ-ଯାଯାବର

ଗୁରୁଙ୍କ ନିକଟକୁ ଶିକ୍ଷା ଲାଭ କରିବା ଲାଗି ଆସିଥିବା ଶିଷ୍ୟ ପଚାରିଲା- ମୁଁ ଭଗବାନଙ୍କୁ କେଉଁଠି ପାଇବି? ଭଗବାନ ଅଛନ୍ତି କେଉଁଠି?
ଗୁରୁ ତାକୁ ନେଇ ନିକଟସ୍ଥ ଏକ ମନ୍ଦିରକୁ ଗଲେ। ସେ ଦିନ ମନ୍ଦିରରେ କୌଣସି ଏକ ଉତ୍ସବ ଥାଏ। ଅନେକ ଲୋକ ସମବେତ ହୋଇଥାଆନ୍ତି। ଘଣ୍ଟ ଓ ଶଙ୍ଖ ବାଜୁଥାଏ। ଅନେକ ଲୋକ ଆଖି ବୁଜି ମନ୍ଦିରର ପ୍ରାଙ୍ଗଣରେ ବସିଥାଆନ୍ତି। ଗୁରୁ ଏବ˚ ଶିଷ୍ୟ ସେଇଠାରେ ବସିଲେ। ଉଭୟେ ଆଖି ବୁଜି ଭଗବାନଙ୍କୁ ପ୍ରାର୍ଥନା କଲେ।
ହଠାତ୍‌ ଗୁରୁ ପ୍ରଶ୍ନ କଲେ- ତୁମେ ଆଖି ବୁଜିଛ କାହିଁକି?
ଶିଷ୍ୟ ଉତ୍ତର ଦେଲା- ଭଗବାନଙ୍କୁ ଦୁଃଖ ଜଣାଇବା ଲାଗି ପ୍ରାର୍ଥନା କରୁଛି।
ଗୁରୁ ପୁଣି ପ୍ରଶ୍ନ କଲେ- ଭଗବାନ କେଉଁଠି ଅଛନ୍ତି?
ଶିଷ୍ୟ ଉତ୍ତର ଦେଲା- ମନ୍ଦିର ଭିତରେ।
ଗୁରୁ କହିଲେ- ତେବେ ଭଗବାନଙ୍କ ସହିତ କଥା ହେବା ଲାଗି ଆଖି ବୁଜିଛ କାହିଁକି? ତୁମେ କାହାକୁ କିଛି ଅନୁରୋଧ କଲା ବେଳେ ଆଖି ବୁଜ କି?
ତା’ ପରେ ପୁଣି ଗୁରୁ ପଚାରିଲେ- ଏବେ କୁହ, ତୁମେ ଆଖି ବୁଜିଥିଲ କାହିଁକି?
ଶିଷ୍ୟ କହିଲା- ମହାତ୍ମା, ଏବେ ବୁଝିଲି। ପ୍ରକୃତ କଥା ହେଲା, ଭଗବାନ ଆମ ଭିତରେ ହିଁ ଅଛନ୍ତି। ଆମକୁ ଆମ ଭିତରକୁ ଦେଖିବାକୁ ହେଲେ ଆଖି ବନ୍ଦ କରିବାକୁ ପଡ଼େ।
ଗୁରୁ କହିଲେ- ତୁମେ ଠିକ୍‌ ବୁଝିଛ।

ସମ୍ବନ୍ଧିତ ଖବର