ମହାନ ଲେଖକ ଆଲବର୍ଟ କାମ୍ୟୁ କୈଶୋର ଏବଂ ଆଦ୍ୟ ତାରୁଣ୍ୟରେ ଫୁଟ୍‌ବଲ୍‌ ଖେଳୁଥିଲେ। ଜଣେ ଗୋଲ-କିପର ଭାବେ ସ୍ଥାନୀୟ ଅଞ୍ଚଳରେ ତାଙ୍କର ଖ୍ୟାତି ଥିଲା। ତେବେ, ଗୋଲକିପର ଭାବେ ଖେଳୁଖେଳୁ କିଭଳି ତାଙ୍କର ଲେଖକୀୟ ଚେତନାର ବିକାଶ ହେଲା, ତାହା ଦେଖନ୍ତୁ।
କାମ୍ୟୁ କହିଥିଲେ ଯେ ଗୋଲକିପର ଭାବେ ଖେଳିବାର ଅର୍ଥ ପଡ଼ିଆର ଗୋଟିଏ ମୁଣ୍ଡରେ ଛିଡ଼ା ହୋଇ ଖେଳକୁ ଦେଖିବା। ବେଳେବେଳେ ବଲ୍‌ ପହଞ୍ଚିଲେ ତାକୁ ଧରି ମଝି ପଡ଼ିଆକୁ ପଠାଇ ଦେଇ ପୁଣି ଖେଳ ଦେଖ। ଖରାପ ଦଳ ସହିତ ମ୍ୟାଚ୍‌ ହେଲେ ଗୋଲକିପର ହାତରେ ଜମାରୁ ବଲ୍‌ ବାଜେନା। ଏଭଳି ସ୍ଥିତିର ଅର୍ଥ ହେଲା ତୁମେ ଖେଳର ଅଂଶ, ଅଥଚ ତୁମ ଭୂମିକା ଦେଖଣାହାରିର! ତୁମେ ଖେଳରେ ଅଛ, କିନ୍ତୁ ଅଛ ଜଣେ ବହିରାଗତ ଭାବେ! ଦଳ ଭିତରେ ତୁମେ ଖେଳାଳି ଓ ଦର୍ଶକ!
ଗେଲକିପର ଭୂମିକାରେ ଯେଉଁ ନିଃସଙ୍ଗତାପଣ ଥାଏ, ତାହା ତାଙ୍କ ସାହିତ୍ୟିକ ଚେତନାକୁ ଗଢ଼ିଲା। ଅସ୍ତିତ୍ବବାଦୀ ସାହିତ୍ୟିକ ଭାବେ ତାଙ୍କ ରଚନାଗୁଡ଼ିକରେ ଅନେକ ମୁଖ୍ୟ ପାତ୍ର ନିଃସଙ୍ଗତାବୋଧର ଶରବ୍ୟ ଏବଂ ଜୀବନ ଓ ସଂପର୍କର କୋଳାହଳ ଭିତରେ ଥାଇ ସେମାନେ ଏକୁଟିଆ ବା ସତେ ଯେମିତି ଅପରିଚିତ।
କାମ୍ୟୁଙ୍କ ସର୍ବପ୍ରଥମ ଉପନ୍ୟାସ ଥିଲା ‘ଦ ଆଉଟସାଇଡର’ ବା ‘ଦ ଷ୍ଟ୍ରେଂଜର’, ଯାହାର ମୂଳ ଫରାସୀ ହେଲା ‘ଏଲ୍‌ ଏଷ୍ଟ୍ରେଂଜରେ’। ଏହାର ଅର୍ଥ ଅପରିଚିତ ବା ବହିରାଗତ। ଏହି ପୁସ୍ତକ ଆଜି ବି ହଜାର ହଜାର ସଂଖ୍ୟାରେ ବିକ୍ରି ହେଉଛି ଏବଂ ପଠିତ ହୋଇ ଚାଲିଛି। ଏହା ସର୍ବକାଳୀନ କ୍ଲାସିକ ଭିତରୁ ଗୋଟାଏ।