ଦୁଇ ଜଣ ବୃଦ୍ଧ ସେମାନଙ୍କ ଶେଷ ସମୟରେ ମନପ୍ରାଣ ଦେଇ ଭଗବାନଙ୍କୁ ଡାକୁଥିବାରୁ ଭଗବାନ ସେମାନଙ୍କୁ ଦେଖା ଦେଲେ। ଭଗବାନ କହିଲେ- କ’ଣ ମାଗୁଛ ମାଗ। ଆର ଜନ୍ମରେ ତୁମେ ତାହା ଲାଭ କରିବ।
ସେମାନଙ୍କ ଭିତରୁ ଜଣେ କହିଲେ- ପ୍ରଭୁ ମୋତେ ଏଇ ବର ଦିଅନ୍ତୁ ଯେମିତି ଆର ଜନ୍ମରେ ମୁଁ କେବଳ ପାଇ ଚାଲେ। ମୋତେ କାହାକୁ ଦେବାକୁ ନ ପଡ଼େ।
ଭଗବାନ କହିଲେ- ତଥାସ୍ତୁ।
ତା’ ପରେ ଭଗବାନ ଆର ବ୍ୟକ୍ତି ଜଣକୁ ଦେଖା ଦେଇ ଯେତେବେଳେ ସେଇ କଥା କହି ବର ମାଗିବାକୁ କହିଲେ, ସେ ଲୋକ କହିଲେ- ପ୍ରଭୁ ଆପଣ ମୋତେ ଏଇ ଆଶୀର୍ବାଦ ଦିଅନ୍ତୁ, ଯେମିତି ମୁଁ କେବଳ ଦେଇ ଚାଲେ। ତା’ ଛଡ଼ା ମୁଁ ଆଉ କିଛି ଚାହେଁନା।
ଭଗବାନ କହିଲେ ତଥାସ୍ତୁ।
ଦୁଇ ଜଣ ଯାକ ଏକ ସମୟରେ ପୁନର୍ଜନ୍ମ ପାଇଲେ। ସେମାନେ ସେଇ ଗୋଟିଏ ଗାଁରେ ଜନ୍ମ ଲାଭ କଲେ। ଯେଉଁ ବ୍ୟକ୍ତି କେବଳ ପାଇବାର ଆଉ କାହାକୁ କିଛି ନ ଦେବାର ଆଶା ରଖିଥିଲେ, ସେ ଏକ ଭିକାରି ହୋଇ ଜନ୍ମ ହେଲା। ସେ ଜୀବନ ଯାକ ଭିକ୍ଷା ଥାଳ ଧରି ବୁଲିଲେ ଏବ˚ ଭିକ୍ଷା ପାଇଲେ। ଅନ୍ୟକୁ ଦେବା ଲାଗି ତାଙ୍କ ପାଖରେ କିଛି ନ ଥିଲା, ତେଣୁ ଦେବାର ପ୍ରଶ୍ନ ଉଠିଲା ନାହିଁ।
ଆର ଜଣକ ସେଇ ଗାଁର ସବୁଠାରୁ ଧନୀ ହୋଇ ଜନ୍ମ ହେଲେ। ଦାନ କରିବାରେ ତାଙ୍କ ମନ ଓ ପ୍ରବୃତ୍ତିକୁ ଚରିତାର୍ଥ କରିବାକୁ ଭଗବାନ ତାଙ୍କୁ କେବଳ ଅଧିକରୁ ଅଧିକ ଦେଇ ଚାଲିଲେ। ସେ ଲୋକ ଅଧିକରୁ ଅଧିକ ଧନୀ ହେଲେ।
କଥାଟି କହିସାରି ୟୁଜିକେ କହିଲେ- ଈଶ୍ବରଙ୍କ ବିଚାର ଏହିପରି। ତେଣୁ ପ୍ରାର୍ଥନା କଲା ବେଳେ ଭାବିଚିନ୍ତି ନିଜ ଲାଗି କିଛି ମାଗିବ।