ସନ୍ଥ ଫରିଦ ଥରେ ଦୂର ସ୍ଥାନକୁ ଯାଉଥିବା ବେଳେ ବାଟରେ ଗୋଟିଏ ସରାଇଖାନାରେ ବିଶ୍ରାମ ନେବାକୁ ଅଟକିଲେ। ତାଙ୍କ ସହିତ ସେହି ସମାନ ପ୍ରକୋଷ୍ଠରେ ରାତ୍ରିଯାପନ କରୁଥିଲେ ଜଣେ ବୃଦ୍ଧ। ଦୁହିଁଙ୍କ ଭିତରେ କଥୋପକଥନ ଚା‌ଲିଲା।
ବୃଦ୍ଧ ନିଜ ପରିଚୟ ଦେଇ କହିଲେ ଯେ ସେ ଜଣେ ଚୋର, ଯାହାକୁ ଧରିବା ଲାଗି ରାଜା ମହାରାଜାମାନେ ପୁରସ୍କାର ଘୋଷଣା କରି ଥକିଗଲେ ସିନା, ସେ ଧରା ପଡ଼ିଲା ନାହିଁ। ଚୋରି ଦକ୍ଷତାକୁ ସେ ଗୋଟିଏ ସୂକ୍ଷ୍ମ କଳାରେ ପରିଣତ କରି ଦେଇଥିଲା। ତା’ ପୁଅ ମଧ୍ୟ ତା’ ଠାରୁ ଏହି କଳା ଶିଖିବା ଲାଗି ଚାହୁଁଥିଲା। କିନ୍ତୁ ସେ ଅଗତ୍ୟା ଚୋରି କରିବା ଛାଡ଼ିଦେଲା!
ଫରିଦ ପଚାରିଲେ- କାହିଁକି ଚୋରି କରିବା ଛାଡ଼ିଦେଲ? ବୃଦ୍ଧ କହିଲେ- ଥରେ ଚୋରି କରିବାକୁ ଯାଇ ଏମିତି ଅବସ୍ଥାରେ ପଡ଼ିଗଲି ଯେ ଜାଣିଲି ଧରା ପଡ଼ି ମରିବା ସୁନିଶ୍ଚିତ। ମୋ ଜୀବନରେ ପୂର୍ବରୁ ଏମିତି ‌େକବେ ହେଲେ ଘଟି ନ ଥିଲା। ମୋ ଲାଗି ଚୋରି କରିବା ଥିଲା ଈଶ୍ବର ପ୍ରଦତ୍ତ ଗୁଣ ଭଳି ଅତି ସାବଲୀଳ। ତେବେ ସେ ଥର କୌଣସିମତେ ମୁଁ ରକ୍ଷା ପାଇଗଲି। ହେଲେ ଜାଗ୍ରତ ହୋଇଗଲି ଯେ ଏମିତି ସ୍ଥିତି ମଧ୍ୟ ଆସିପା‌ରେ! ଏ ନେଇ ସେ ପର୍ଯ୍ୟନ୍ତ ମୁଁ ସଚେତନ ନ ଥିଲି। ଏଣିକି ଆଉ ପୂର୍ବ ଭଳି ଚୋରି କରି ପାରିଲି ନାହିଁ।
ଫରିଦ ଏତିକି ଶୁଣି ଭାବନାରେ ବୁଡ଼ିଗଲେ। ତା’ ପରେ କହିଲେ- ଧନ୍ୟବାଦ ବନ୍ଧୁ। ଗୂଢ଼ ଶିକ୍ଷାଟି ‌େଦଲ। ଜାଗ୍ରତ ହୋଇଯିବାର ଅର୍ଥ ଆଖି ଖୋଲିଯିବା। ଭୁଲ୍‌ ବାଟରୁ ଠିକ୍‌ ବାଟକୁ ଆସିବାକୁ ହେଲେ ବିଶେଷ କିଛି ଲୋଡ଼ା ନାହିଁ, କେବଳ ଜାଗ୍ରତ ହୋଇଗଲେ ତାହା ସମ୍ଭବ। କାରଣ ଶୋଇଥିବା ଭଳି ରହି ଆମେମାନେ ଭୁଲ୍‌ କରି ଚାଲିଥାଉ।