ଗୋଟିଏ ଖେତରେ କାମ କରୁଥାଆନ୍ତି ଦଳେ ଶ୍ରମିକ। ସେମାନେ ଗୀତ ଗାଇ ଗାଇ କାମ କରୁଥାଆନ୍ତି। କାମକୁ ଜଗି ଛିଡ଼ା ହୋଇଥାଆନ୍ତି ଜମିଦାର। କାଳେ ତାଙ୍କୁ ଖରା ବାଧିବ ବୋଲି ତାଙ୍କ ମୁଣ୍ତ ଉପରେ ଛତାଟିଏ ଦେଖାଇ ଜଣେ ଲୋକ ଛିଡ଼ା ହୋଇଥାଏ। ଜମିଦାରଙ୍କ ମୁହଁ ନାଲ ଦିଶୁଥାଏ। ମୁହଁରେ ଟିକିଏ ବି ହସ ନ ଥାଏ। ମଝିରେ ମଝିରେ ସେ ରାଗି ଚିତ୍କାର କରୁଥାନ୍ତି- ଏ ଅଳସୁଆମାନେ ଶୀଘ୍ର ଶୀଘ୍ର ହାତ ଚଲାଅ।
ଏ କଥା ଦେଖି ଜଣେ ଶ୍ରମିକ ଭାବିଲା ୟେ ଲୋକ ଏମିତି କାହିଁକି ହେଉଛନ୍ତି। ଆମେମାନେ ତ ଖରାରେ କାମ କରୁଛୁ, ଝାଳ ବୁହାଉଛୁ। ହେଲେ, ଆମ ଭିତରୁ ଅନେକ ଗୀତ ଗାଇ କାମ କରୁଛନ୍ତି। ମାଲିକ ତ ଆରାମରେ ବସିଛନ୍ତି। ତାଙ୍କ ମୁଣ୍ତ ଉପରେ ଛତା ଅଛି। ଅଥଚ, ତାଙ୍କ ମୁହଁରେ କାହିଁକି ହସ ନାହିଁ? ତାଙ୍କ ମୁହଁ ନାଲ ଫଣଫଣ ଦିଶୁଛି କାହିଁକି? ମାଲିକମାନେ ସର୍ବଦା ଅସନ୍ତୁଷ୍ଟ କାହିଁକି?
ଶ୍ରମିକଟି ଏମିତି ଭାବୁଥିବା ବେଳେ ହଠାତ୍ ଏକ ବିଚିତ୍ର ଘଟଣା ଘଟିଲା। ମାଲିକ ଓ ଶ୍ରମିକଙ୍କ ଭିତରେ ଜାଗା ଅଦଳବଦଳ ହୋଇଗଲା। ଶ୍ରମିକକୁ ନିଜକୁ ଛତା ତଳେ ମାଲିକ ଜାଗାରେ ଏବ˚ ମାଲିକଙ୍କୁ ଶ୍ରମିକଙ୍କ ଭିତରେ ଦେଖିବାକୁ ମିଳିଲା।
ଏବେ ମାଲିକ ଜାଗାରେ ଥିବା ଶ୍ରମିକକୁ ଯାବତୀୟ ଚିନ୍ତା ଘାରିଗଲା। ଶୀଘ୍ର କାମ ନ ସାରିଲେ ବର୍ଷା ହୋଇଯିବ, କାମ ହେବ ନାହିଁ। ଏତେ ପଇସା ଖର୍ଚ୍ଚ କରୁଛି ସେଇ ଅନୁସାରେ ଲାଭ ହେବ ତ? ଆର ବର୍ଷ କ୍ଷତି ହୋଇଥିଲା, ଏଥର କ’ଣ ହେବ କେଜାଣି? ଏବେ ମାଲିକ ଜାଗାରେ ଥିବା ଶ୍ରମିକର ମୁହଁ ନାଲ ଫଣଫଣ ଦିଶିଲା ଏବ˚ ଶ୍ରମିକଙ୍କ ଭିତରେ ଗୀତ ଗାଇ ଗାଇ କାମ କରୁଥିବା ମାଲିକକୁ ସେ କହିଲା- ଗୀତ ବନ୍ଦ କରି କାମ କର।
ଭଗବାନ ନାରଦଙ୍କୁ ଏ ଦୃଶ୍ୟ ଦେଖାଇ କହିଲେ- ଯିଏ ଜୋତା ପିନ୍ଧେ ସେ ଜାଣେ ଭିତରେ କଣ୍ଟାଟି କେଉଁଠି ଖେଞ୍ଚୁଛି।
ମାଲିକ ଓ ଶ୍ରମିକ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)