ସାକ୍ଷୀ ନସିରୁଦ୍ଦିନ

କଥାଟିଏ-ଯାଯାବର

ମୁଲ୍ଲା ନସିରୁଦ୍ଦିନଙ୍କ ପଡ଼ୋଶୀ ଅତଲଫ ଥରେ ମୁଲ୍ଲାଙ୍କ ସହିତ ବୁଲୁଥିବା ବେଳେ ରାଜ ଉଆସ ହତାରେ ଥିବା ଆମ୍ବ ଗଛରୁ ଆମ୍ବ ତୋଳି ପକାଇଲା। ମୁଲ୍ଲା ହାଁ ହାଁ କରୁ କରୁ ସେ ଦୁଇ ଚାରିଟା ତୋଳି ପକାଇଥାଏ। କିନ୍ତୁ, ତା’ର ଦୁର୍ଭାଗ୍ୟ, ଏ କଥାଟି ଜଣା ପଡ଼ିଗଲା ଏବଂ ରାଜା ଲୋକ ପଠାଇ ଅତଲଫକୁ ବାନ୍ଧି ନେଲେ। ଅତଲଫର ସ୍ତ୍ରୀ କାନ୍ଦିକାଟି ମୁଲ୍ଲାଙ୍କ ନିକଟରେ ପହଞ୍ଚିଲା ଓ କହିଲା- ମୁଲ୍ଲା ତୁମେ ମୋ ସ୍ବାମୀକୁ ରକ୍ଷା କର। ତା’ର କୃତକର୍ମ ଲାଗି ରାଜା ତାକୁ କି ଦଣ୍ଡ ଦେବେ କେଜାଣି?
ଏହି ସମୟରେ ରାଜା ମୁଲ୍ଲାଙ୍କୁ ସମନ ପଠାଇଲେ। କାରଣ ଏହି ଘଟଣାର ଏକମାତ୍ର ପ୍ରତ୍ୟକ୍ଷ ସାକ୍ଷୀ ଥିଲେ ମୁଲ୍ଲା।
ମୁଲ୍ଲା ସମନ ପାଇ ରାଜାଙ୍କ ନିକଟକୁ ଦୌଡ଼ିଲେ। ରାଜା ତାଙ୍କୁ ପଚାରିଲେ- ତୁମେ କାଲି ଅତଲଫ ସହିତ ସଂଧ୍ୟାରେ ବୁଲୁଥିବା ବେଳେ ସେ ଆମ ଆମ୍ବ ଗଛରୁ ଫଳ ଚୋରି କଲା। ତୁମେ ହେଉଛି ସାକ୍ଷୀ। ଏବେ କୁହ କ’ଣ ସବୁ ଘଟିଲା।
ମୁଲ୍ଲା କହିଲେ- କହିବି ଯେ ହେଲେ ହଜୁର ବଡ଼ ବିଚିତ୍ର କଥା, ଯିଏ ଦେଖିଲା ସେ କହି ପାରିବ ନାହିଁ। ‌ଯିଏ କହି ପାରିବ ସେ ଦେଖିନାହିଁ!
ରାଜା କହିଲେ- ମୁଲ୍ଲା ତୁମେ ପୁଣି ଚାଲବାଜି ଆରମ୍ଭ କଲଣି। ତୁମେ କ’ଣ କହିବାକୁ ଚାହଁ ପରିଷ୍କାର ଭାବେ କହ।
ମୁଲ୍ଲା କହିଲେ- ଅତଲଫ ସହିତ ବୁଲୁଥିବା ବେଳେ ସେ କ’ଣ କଲା ସେ ବିଷୟରେ କହିବ ମୋ ପାଟି, ଯାହାର ଦେଖିବାର କ୍ଷମତା ନାହିଁ। ଏଣେ ଆଖି ଦେଖିଛି ସତ, କିନ୍ତୁ ଆଖିର କଥା କହିବାର ଶକ୍ତି ନାହିଁ।
ରାଜା ଏଥର ହସି ଉଠିଲେ। ସେ କହିଲେ- ମୁଲ୍ଲା କେବଳ ତୁମର ଚତୁରତା କାରଣରୁ ଅତଲଫକୁ ଛାଡ଼ିଲି। ତାକୁ କୁହ ଆଉ ସେମିତି ଦୁଃସାହସ ଯେମିତି ନ କରେ।

ସମ୍ବନ୍ଧିତ ଖବର