ରାଜାଙ୍କ ପାଖରେ ଜଣେ ଅତ୍ୟନ୍ତ ବିଶ୍ବସ୍ତ କର୍ମଚାରୀ ଥିଲେ। ସେ ଦେଖୁଥିଲେ ଯେ ରାଜାଙ୍କ ପାଖରେ କାମ କରୁଥିବା ଅନେକ ଲୋକ ଦୁର୍ନୀତିଗ୍ରସ୍ତ, ଅଥଚ ସେମାନେ ରାଜାଙ୍କ ପ୍ରିୟପାତ୍ର ହୋଇ ଆନନ୍ଦରେ ଅଛନ୍ତି। ସେ ଭାବିଲେ- ମୁଁ ଅତି ବିଶ୍ବସ୍ତ ବୋଲି ରାଜା ମୋ କାନ୍ଧ ଉପରେ ହାତ ରଖି ଦେଉଛନ୍ତି ସତ, ମୁଁ ଆଉ କ’ଣ ପାଉଛି? ସୁଯୋଗର ଟିକିଏ ସଦୁପଯୋଗ କଲେ ମୁଁ ମଧୢ ନିଜ ପରିବାର ଲାଗି ଅଧିକ କିଛି କରିପାରନ୍ତି।
ଏମିତି ଭାବୁ ଭାବୁ ଶୀଘ୍ର ସୁଯୋଗ ଜୁଟିଗଲା। ରାଣୀଙ୍କ ବହୁ ମୂଲ୍ୟବାନ ରତ୍ନ ଖଚିତ ହାର ପଲଙ୍କ ତଳେ ପଡ଼ିଥିବା ଦେଖି ତାଙ୍କ ମନ ଚହଲି ଗଲା। ସେ ତାକୁ ନିଜ ଅଣ୍ଟାରେ ଖୋସିଦେଲେ। କିଛି ସମୟ ପରେ ହାର ଚୋରି ନେଇ ଚହଳ ପଡ଼ିଗଲା। ରାଜା କହିଲେ ଜଣ ଜଣ କରି ସମସ୍ତଙ୍କ ତଲାସି ନିଅ। କେବଳ ଏହାଙ୍କୁ ଛାଡ଼ି! ସେଇ କ୍ରମରେ ବିଶ୍ବସ୍ତ କର୍ମଚାରୀ ଜଣଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କର ତଲାସି ନିଆଗଲା। ହାର ମିଳିଲା ନାହିଁ।
ଯେତେବେଳେ ରାଜା ଏଭଳି ଆଦେଶ ଦେଲେ ସେତିକି ବେଳେ ପ୍ରଥମେ ତ ବିଶ୍ବସ୍ତ କର୍ମଚାରୀ ଜଣକ ଆଶ୍ବସ୍ତ ହେଲେ। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ମନରେ ବିଷାଦ ଘୋଟିଗଲା। ସେ ମନେ ମନେ ଭାବିଲେ - ମୋ ଗୁଣ ଲାଗି ରାଜା ମୋ ଉପରେ ସର୍ବାଧିକ ବିଶ୍ବାସ ପ୍ରକଟ କରି ମୋତେ ଆଜି ସବୁଠାରୁ ଅଧିକ ମୂଲ୍ୟବାନ ପୁରସ୍କାର ଦେଇଛନ୍ତି। ଆଉ ମୋର କ’ଣ ଲୋଡ଼ା?
ରତ୍ନ ହାର ଚୋରି ନେଇ ସେ ଭୀଷଣ ଅନୁତପ୍ତ ହେଲେ ଓ ରାଜାଙ୍କ ଆଗରେ ରତ୍ନ ହାରଟି ଥୋଇ କାନ୍ଦିବାକୁ ଲାଗିଲେ।
ରାଜା ବି ଏହା ଦେଖି ପ୍ରଥମେ ବିଶ୍ବାସ କରି ପାରିଲେ ନାହିଁ ସିନା, ତାଙ୍କୁ କ୍ଷମା କରିଦେଲେ ଏବ˚ କହିଲେ- ଏହା ପର ଠାରୁ ତୁମ ଉପରେ ମୋ ବିଶ୍ବାସ ଆହୁରି ଅଧିକ ବଢ଼ିଗଲା।
ସର୍ବାଧିକ ମୂଲ୍ୟବାନ ପୁରସ୍କାର
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)