ମୁଲ୍ଲା ନସିରୁଦ୍ଦିନ ବିବାହ କଲେ। ବାଛି ବାଛି ଏମିତି ପତ୍ନୀ ଆଣିଲେ ଯିଏ ଥିଲେ ମାତ୍ରାତିରିକ୍ତ କ୍ଷଣକୋପୀ। ରାଗିଗଲେ ତାଙ୍କ ପାଟିକୁ ଯାହା ଆସୁଥିଲା ତାହା ବକି ଯାଉଥିଲେ। ତେଣୁ ନିରନ୍ତର ଶୋଧା ଶୁଣି ନସିରୁଦ୍ଦିନ ଜୀବନ କାଟୁଥିଲେ, ଅଥଚ କେବେ ହେଲେ ପାଟି ଫିଟାଉ ନ ଥିଲେ। ତାଙ୍କର ଏଭଳି ସ୍ବଭାବ ଦେଖି ପଡ଼ିଶା ଘରର ଫଜଲୁ ବିଦ୍ରୂପ କରି କହୁଥିଲା- ‘ମରିୟଲ ବୁଢ଼ା’ ବା ଝାଉଁଳା ବୁଢ଼ା।
ଏମିତି ଦିନ ଗଡ଼ିଗଲା। ମୁଲ୍ଲା ସେମିତି ଗାଳି ଖାଇ ଚୁପ୍ ହୋଇ ରହିଲେ। ଦିନେ ନସିରୁଦ୍ଦିନଙ୍କ ପତ୍ନୀଙ୍କ ସହିତ ଫଜଲୁର ଦେଖା ହୋଇଗଲା। ଅଗତ୍ୟା ସେ କହି ପକାଇଲା- ଭାଉଜ, ତୁମର ଭାଗ୍ୟ। ଆମ ସ୍ତ୍ରୀମାନେ ତୁମକୁ ଈର୍ଷା କରୁଛନ୍ତି। ସେମାନେ କହୁଛନ୍ତି ନସିରୁଦ୍ଦିନ ଭଳି ଲୋକକୁ ବାହା ହୋଇ ତୁମେ କେେତ ଖୁସିରେ ଅଛ। ମନ ଇଚ୍ଛା ଗାଳି କରୁଛ, ହେଲେ ତା’ର ପାଟି ଫିଟୁନାହିଁ। ସେଥି ଲାଗି ତ ମୁଁ ତାକୁ ଡାକୁଛି ଝାଉଁଳା ବୁଢ଼ା।
ଏଥିରେ କ୍ଷଣେ ଅଟକି ଗଲେ ନସିରୁଦ୍ଦିନଙ୍କ ସ୍ତ୍ରୀ। ସେ କହିଲେ- କ’ଣ କହିଲ ସେ ଝାଉଁଳା ବୁଢ଼ା? ବୁଝିଲ ଫଜଲୁ, ତାଙ୍କ ଭଳି ନିଦା ଓ ଟାଣୁଆ ଲୋକ ସଂସାରରେ ନାହାନ୍ତି। ମୁଁ ତ ସବୁ ଦିନ କାନ୍ଦି କାନ୍ଦି ଶୋଉଛି!
ଫଜଲୁ କହିଲା- ଏଁ, ୟେ କି କଥା?
ନସିରୁଦ୍ଦିନଙ୍କ ପତ୍ନୀ କହିଲେ- ତୁମ ଘରେ ସ୍ବାମୀ-ସ୍ତ୍ରୀ ଉଭୟ ପାଟିତୁଣ୍ଡ କର। ଝଗଡ଼ା ହୁଏ। ଦୁହେଁ ମନ ସାଧ ମେଣ୍ଟାଇ ରାତିରେ ଶୋଇପଡ଼। ଏ ଲୋକ ପରା ପାଟି ପିଟାଉନାହିଁ। ମୋତେ ଲାଗୁଛି ସତେ ଯେମିତି ମୁଁ ଗୋଟାଏ କାନ୍ଥକୁ ଗାଳି ଦେଇ ହାଲିଆ ହଉଛି। ବେକାରରେ ଏତେ ବକୁଛି। ଶେଷରେ ଏମିତି ଧୈର୍ଯ୍ୟଚ୍ୟୁତି ହେଉଛି ଯେ ଖଟକୁ ବିଧା ମାରି କାନ୍ଦୁଛି, ଅଥଚ ତୁମ ସାଙ୍ଗ ଅାରାମରେ ଶୋଉଛନ୍ତି। ଥରେ ମୋ ଗାଳିର ଜବାବ ଦେଲେ ଜାଣନ୍ତି ଯେ ବୁଢ଼ା ହାରିଗଲା। କିନ୍ତୁ ସେମିତି ହେଉନାହିଁ।
ଫଜଲୁ ଏହା ଶୁଣି କ’ଣ କହିବ ବୁଝି ପାରିଲା ନାହିଁ।
ଝାଉଁଳା ବୁଢ଼ା
କଥାଟିଏ-ଯାଯାବର