ଜଣେ ଯୁବକ ଜଣେ ସଦ୍ଗୁରୁଙ୍କୁ ପାଖକୁ ଯାଇ ତା’ ଦୁଃଖ ଜଣାଇଲା। ସେ କହିଲା- ମୋ ବିବାହକୁ ଚାରି ବର୍ଷ ହେଲା। ମୋ ପତ୍ନୀ ଦେଖିବାକୁ ସୁନ୍ଦରୀ। ତେବେ କିଛି ମାସ ହେଲାଣି ତାଙ୍କ ଉପରେ ମୋର ସନ୍ଦେହ ଜାତ ହୋଇଛି। ମୋତେ ଲାଗୁଛି ସେ ଯେମିତି ମୋ ପ୍ରତି ଏକାନ୍ତ ଭାବେ ବିଶ୍ବସ୍ତ ନୁହନ୍ତି। ଗଲା କିଛି ଦିନ ତଳେ ମୋ ମୁଣ୍ତକୁ ଏ କଥା ପୋକ ଭଳି କାମୁଡ଼ିଲା। ମୁଁ ତାଙ୍କୁ ଏ ବାବଦରେ ସବୁ କଥା କହି ଅତ୍ୟନ୍ତ କଟୁ ଭାବେ କହିଲି। କିନ୍ତୁ ଦେଖିଲି ସେ ସବୁ କିଛି ନିରବରେ ଶୁଣିଲେ। କୌଣସି ପ୍ରତିକ୍ରିୟା ପ୍ରକାଶ କଲେ ନାହିଁ। ପରେ ତାଙ୍କ ଆଚରଣ ଏମିତି ଥିଲା, ସତେ ଯେମିତି କିଛି ହେଲେ ହୋଇନାହିଁ। ଏ ଘଟଣା ପରେ ମୋର ସନ୍ଦେହ ଆହୁରି ଘନୀଭୂତ ହୋଇଛି। କାରଣ ନିରବ ରହିବା ହେଉଛି ସହମତ ହେବାର ଲକ୍ଷଣ। ଯଦି ସେ ସେମିତି ନୁହେଁ ସେ ପ୍ରତିବାଦ କରିଥାଆନ୍ତେ ନିଶ୍ଚୟ। ତେଣୁ ମୁଁ ନିଶ୍ଚିତ ଯେ ମୋ ସନ୍ଦେହ ଅମୂଳକ ନୁହେଁ। ଗୁରୁ ଏ କଥା ଶୁଣି କହିଲେ- ହାୟରେ ନିର୍ବୋଧ! ତୁମ ପତ୍ନୀ ନିରବ ରହିବାକୁ ତୁମେ ଭାବୁଛ ଯେ ତୁମେ ଯାହା କହୁଛ ତା’ ସହ ସେ ଏକମତ। କିନ୍ତୁ ମୁଁ ଜାଣୁଛି ଯେ ତୁମ ଭଳି ମୂର୍ଖ ଆଗରେ ପ୍ରତିକ୍ରିୟା ରଖି ନିଜ ବିବାହକୁ ନଷ୍ଟ କରିବାକୁ ସେ ଚାହାନ୍ତି ନାହିଁ। ସେ ତୁମ ଭଳି ନିର୍ବୋଧ ନୁହନ୍ତି। ପୁଣି ତୁମ ଭଳି ନିର୍ବୋଧ ସହିତ ସ˚ପର୍କ ବଜାୟ ରଖିବା ଭାରି କଷ୍ଟକର। ସେ ବାଗ ସେ ଜାଣନ୍ତି। ତାଙ୍କ ଆଚରଣରୁ ତୁମେ କିଛି ଶିକ୍ଷା କର।
ଯୁବକ ଓ ଗୁରୁ
କଥାଟିଏ-ଯାଯାବର