ଜଣେ ରାଜାଙ୍କ ମନରେ ତାଙ୍କ ପତ୍ନୀଙ୍କ ଚରିତ୍ରକୁ ନେଇ ସନ୍ଦେହ ଆସିଲା। ତାହା ଦୃଢ଼ ହେଲା ଯେତେବେଳେ ରାଣୀ ଏକ ବିଶାଳ ସିନ୍ଦୁକ ଆଣି ନିଜ ହଂସପୁରରେ ରଖିଲେ ଏବଂ ତା’ର ଚାବିକୁ କେବଳ ନିଜ ପାଖରେ ରଖିଲେ, କାହାକୁ ଦେଲେ ନାହିଁ। ରାଜା ଭାବିନେଲେ ଯେ ରାଣୀଙ୍କ ସହିତ ସଂପର୍କ ରଖୁଥିବା କୌଣସି ବ୍ୟକ୍ତିକୁ ଦରକାର ବେଳେ ଲୁଚାଇବା ଲାଗି ଏହି ବ୍ୟବସ୍ଥା କରାଯାଇଛି।
ଦିନେ ରାଜା ରାଣୀଙ୍କ ପ୍ରକୋଷ୍ଠକୁ ପଶିବା ପରେ ତାଙ୍କର ସନ୍ଦେହ ହେଲା ଯେ ସେଠାରେ ଯେମିତି କେହି ଜଣେ ପୂର୍ବରୁ ଥିଲା। ରାଣୀ ମଧ୍ୟ ସିନ୍ଦୁକ ପାଖରେ ଛିଡ଼ା ହୋଇଥିଲେ ଏବଂ ରାଜାଙ୍କୁ ଲାଗିଲା ଯେମିତି ‌ରାଣୀ ସାମନ୍ୟ ଅପ୍ରତିଭ ଦିଶୁଛନ୍ତି।
ରାଜା ରାଣୀଙ୍କୁ ସିଧାସଳଖ କହିଲେ- ସିନ୍ଦୁକ ଖୋଲ ଦେଖିବା ଭିତରେ କଅଣ ଅଛି?
ରାଣୀ କହିଲେ- କାହିଁକି?
ରାଜା କହିଲେ- ମୁଁ ଭିତରଟା ଦେଖିବାକୁ ଚାହେଁ। ଏଥିରେ ଆପତ୍ତି କାହିଁକି? ତୁମେ ସିନ୍ଦୁକ ଖୋଲି ଦେଖାଇ ଦିଅ।
ରାଣୀ କ୍ଷଣିଏ ନିରବ ରହିବା ପରେ କହିଲେ- ବେଶ୍‌ ଚାବି ନିଅ ଓ ଖୋଲି ଦେଖ।
ରାଜା ଚାବି ଧରି ସିନ୍ଦୁକ ଖୋଲିବାକୁ ବାହାରିଲେ। କିନ୍ତୁ କ’ଣ ଭାବି ଅଟକିଗଲେ। ତା’ ପରେ ସେ ନିଜର ସବୁଠାରୁ ବିଶ୍ବସ୍ତ ଭୃତ୍ୟକୁ ଡାକି କହିଲେ- ଏ ସିନ୍ଦୁକକୁ ନେଇ ବଗିଚା କୋଣରେ ପୋତିଦିଅ। ତା’ ପରେ ସେହି ବିଶ୍ବସ୍ତ ଭୃତ୍ୟକୁ ଅନେକ ଉପହାର ଦେଇ ରାଜ୍ୟରୁ ସବୁ ଦିନ ଲାଗି ନିର୍ବାସିତ କରିଦେଲେ।
ସେହି ସଂଧ୍ୟାରେ ରାଣୀ ପଚାରିଲେ- ଏଭଳି କାହିଁକି କଲ?
ରାଜା କହିଲେ- ମୁଁ ମୋ ସନ୍ଦେହକୁ ସବୁଦିନ ଲାଗି ମାରି ଦେବାକୁ ଚାହିଁଲି।