ଗୋଟିଏ ନଈ କୂଳରେ ଥରେ ଗୋଟିଏ କଙ୍କଡ଼ା ବିଛା ଏବ˚ ଗୋଟିଏ ବେଙ୍ଗ ଭିତରେ ବନ୍ଧୁତା ହେଲା। ବେଙ୍ଗଟି ଥିଲା ବୁଦ୍ଧିମାନ, ସ˚ସ୍କାରୀ ଓ ଦୟାଳୁ। ବନ୍ଧୁତା ସତ୍ତ୍ବେ ସେ କେବେ ହେଲେ କଙ୍କଡ଼ା ବିଛା ପାଖକୁ ଯାଏ ନାହିଁ। କଙ୍କଡ଼ା ବିଛା ତାକୁ ଯେତେ ପାଖକୁ ଡାକିଲେ ବି ବେଙ୍ଗ କହେ- ନା, ଭାଇ ତୁମଠାରୁ ଦୂରରେ ରହିବା ଭଲ। ଏମିତି ଆମର ବନ୍ଧୁତା ଆଗକୁ ବଢ଼ିଚାଲୁ। ପାଖକୁ ଆସିବା କଥା କୁହନା।
ସେମିତି ବନ୍ଧୁତା ବଢ଼ିବାକୁ ଲାଗିଲା। ବେଙ୍ଗର ଉପଦେଶ ଓ କଥା ଶୁଣି କଙ୍କଡ଼ା ବିଛା ବି ସ˚ସ୍କାରୀ ହୋଇ ଉଠିଲା। ଏମିତି ଦିନ ଗଡ଼ି ଚାଲିଲା। ଥରେ ନଈରେ ବଢ଼ି ଆସିଲା। କଙ୍କଡ଼ା ବିଛା ବିକଳରେ ଡାକ ଦେଇ କହିଲା- ବନ୍ଧୁ ମୋତେ ତୁମ ପିଠିରେ ବସାଇ ଆର କୂଳକୁ ନେଇ ଯାଅ। ନ ହେଲେ ମୁଁ ମଲି।
ବେଙ୍ଗ କହିଲା- ମୁଁ ତୁମକୁ ସାହାଯ୍ୟ କରିବି ସତ, କିନ୍ତୁ ଭୟ ଲାଗୁଛି ଯେ ତୁମେ ମୋତେ ନାହୁଡ଼ ମାରିବ। ସେମିତି ହେଲେ ନଈରେ ମୁଁ ବୁଡ଼ିବି ଏବ˚ ଆମ ଦୁହିଁଙ୍କ ପ୍ରାଣ ଯିବ।
କଙ୍କଡ଼ା ବିଛା କହିଲା- କି କଥା କହୁଛ? ତୁମେ ମୋତେ ବିପଦରୁ ପାର କରୁଛ, ଅଥଚ ମୁଁ ତୁମକୁ ନାହୁଡ଼ ମାରିବି?
ଯାହାହେଉ ବନ୍ଧୁର ବିକଳ କଥା ସହି ନ ପାରି ବେଙ୍ଗ କଙ୍କଡ଼ା ବିଛାକୁ ପିଠିରେ ବସାଇ ନଈ ପାର ହେଲା। କିଛି ସମୟ ପରେ କଙ୍କଡ଼ା ବିଛା କହିଲା- ବନ୍ଧୁ ଆଉ ସମ୍ଭାଳି ପାରୁନାହିଁ। ମନ କଲବଲ ହେଉଛି। ତୁମକୁ ଥରେ ନାହୁଡ଼ ମାରିବି।
ବେଙ୍ଗ ନେହୁରା ହୋଇ କହିଲା- ସେମିତି କରନା ବନ୍ଧୁ, ସେମିତି କଲେ ଦୁହେଁ ମରିବା।
କଙ୍କଡ଼ା ବିଛା କହିଲା- ବନ୍ଧୁ, ତୁମ ସହିତ ରହି ମୁଁ ବି ଦୟାମାୟା କଥା ବୁଝିଲିଣି। ସ˚ସ୍କାରୀ ହେଲିଣି। ତଥାପି ନାହୁଡ଼ ନ ମାରି ମୁଁ ରହିପାରିବି ନାହିଁ। ତେବେ, ତୁମେ ଦେଇଥିବା ସ˚ସ୍କାରରୁ ମୁଁ ଏତିକି କରିପାରେ ଯେ ତୁମକୁ ସବୁଠାରୁ କମ୍‌ କଷ୍ଟ ହେଉଥିବା ଜାଗାରେ ମୁଁ ନାହୁଡ଼ ମାରିବି।
ବେଙ୍ଗ ଆଉ କିଛି କହିବା ପୂର୍ବରୁ ବିଛା ବେଙ୍ଗର ପିଠିରେ ଧୀରେ ନାହୁଡ଼ ମାରିଲା। କିନ୍ତୁ ସେତିକି ଯଥେଷ୍ଟ ଥିଲା ବେଙ୍ଗକୁ କଷ୍ଟରେ କଲବଲ ହୋଇ ବୁଡ଼ିଯିବାକୁ। ଦୁହେଁ ନଈରେ ବୁଡ଼ି ମଲେ।