ଗୋଟିଏ ସହରରେ ଜଣେ ବ୍ୟବସାୟୀ ଥିଲେ। ସେ ନିଷ୍ଠାର ସହିତ ବ୍ୟବସାୟ କରୁଥିଲେ ସତ, କିନ୍ତୁ ପଇସାପତ୍ର କେତେ ଆସିଲା, କେତେ ଗଲା ସେ ବାବଦରେ ଆଦୌ ଚିନ୍ତା କରୁ ନ ଥିଲେ। ଯାହାର ଯେତେବେଳେ ଯାହା ଦରକାର ପଡ଼ିଲା, ମାଗିଲା ମାତ୍ରକେ ସେ ଦେଇଦେଉଥିଲେ। ସେ ଲୋକ ପଇସାପତ୍ର ଫେରାଇଲା କି ନାହିଁ ସେ ବାବଦରେ ମନେ ରଖୁ ନ ଥିଲେ। ବଡ଼ ବିଚିତ୍ର ଭାବେ ସେ କାରବାର କରୁଥିଲେ। କିନ୍ତୁ ବ୍ୟବସାୟ ଚାଲୁଥିଲା, ସେ କେବେ ହେଲେ ଅଭାବରେ ପଡୁ ନ ଥିଲେ ଏବ˚ ବିପଦ ବେଳେ ସେମିତି କେଉଁଠୁ ନା କେଉଁଠୁ ତାଙ୍କୁ ସାହାଯ୍ୟ ମିଳିଯାଉଥିଲା।
ବ୍ୟବସାୟୀଙ୍କ ପୁଅ ବଡ଼ ହୋଇ ବାପାଙ୍କ ସହିତ ଯୋଗ ଦେଲେ। ବାପାଙ୍କ ଏ ପ୍ରକାର କାରବାର ଦେଖି ସେ ଚକିତ ହୋଇଗଲେ। ସେ ଏଣିକି ପଇସାପତ୍ରର ହିସାବ ରଖିବାକୁ ମନସ୍ଥ କଲେ। ସେଇ କଥା ସେ ବାପାଙ୍କୁ କହିଲେ। ବ୍ୟବସାୟୀ କହିଲେ- ତୁମେ ବର୍ତ୍ତମାନ ଯୋଗ୍ୟ ହୋଇଛ। ତେଣୁ ତୁମେ ଯେମିତି ବ୍ୟବସାୟ ଚଳାଇବାକୁ ଚାହୁଛ ସେମିତି ଚଳାଅ।
ବ୍ୟବସାୟୀଙ୍କ ପୁଅ ପଚାରିଲେ- ଠିକ୍ ଅଛି। କିନ୍ତୁ ମୋ ମନରେ ଯେଉଁ ପ୍ରଶ୍ନଟି ଉଠୁଛି ତାହା ହେଲା, ଆପଣ ଏମିତି ବିଚିତ୍ର ଢଙ୍ଗରେ କାରବାର କରୁଛନ୍ତି କେମିତି?
ଏଥର ବ୍ୟବସାୟୀ ହସିଲେ ଓ କହିଲେ- କିଛି ବିଚିତ୍ର ନୁହେଁ। ଦେଖ, ମୋ ବାପା ବି ଏଇ ଢଙ୍ଗରେ କାରବାର କରୁଥିଲେ। ସେ କହୁଥିଲେ- ମୁଁ ଏହା ଭଗବାନଙ୍କ ଠାରୁ ଶିଖିଛି। ଦେଖ ଭଗବାନ ଆମମାନଙ୍କୁ ଯାହା ସବୁ ଦେଇଛନ୍ତି, ପାଣି ପବନ, ମାଟି, ଫୁଲ ଫଳ ସବୁ କିଛି; ତା’ର କିଛି ହିସାବ ରଖିନାହାନ୍ତି। ସେ ସବୁ କିଛି ବେହିସାବ ଭାବରେ ଦେଇଛନ୍ତି। ତୁମେ ଯଦି ସେମିତି ଭାବେ ଦେଇ ଚାଲିବ ତେବେ ଭଗବାନ ତୁମ ଜରିଆରେ ଅନ୍ୟକୁ ଦେବାର ମାର୍ଗ ଖୋଲିଦେବେ। ମୋ ଜୀବନରେ ମୁଁ ସବୁ ପାଇଛି, କିଛି ଅଭାବ ଘଟିନାହିଁ। ତେଣିକି ତୁମ ଇଚ୍ଛା।
ପୁଅ କହିଲା- ମୁଁ ଆପଣଙ୍କ ହିସାବକିତାବ ଅନୁସାରେ ହିଁ ଚଳିବି।
ବାପାଙ୍କ ହିସାବକିତାବ
କଥାଟିଏ-କଥାଟିଏ
/sambad/media/post_attachments/wp-content/uploads/2022/07/foot-kathatia.jpg)