ଗୋଟିଏ ଯାତ୍ରୀବାହୀ ନୌକା ଭରା ନଈରେ ଯାଉଥିଲା। ନଈ ଏତେ ବିଶାଳ ଥିଲା ଯେ ମଝି ନଈରୁ କୂଳ ଦିଶୁ ନ ଥିଲା। ନୌକାଟି ମଝି ନଈରେ ଥିବା ବେଳକୁ ହଠାତ୍‌ କଳା ବାଦଲ ଘୋଟି ଆସି ଝଡ଼ ତୋଫାନ ଆସିଗଲା। ନୌକାଟି ଟଳମଳ ହେବାକୁ ଲାଗିଲା।
ନାଉରୀ ଜଣକ ଯଥାସମ୍ଭବ ନୌକାକୁ ସମ୍ଭାଳିବା ଲାଗି ଉଦ୍ୟମ କରୁଥିବା ବେଳେ ଯାତ୍ରୀମାନେ ବିକଳ ହୋଇ ଭଗବାନଙ୍କୁ ପ୍ରାର୍ଥନା କରିବାକୁ ଲାଗିଲେ। ସେମାନେ କେତେ ପ୍ରକାର ମାନସିକ କରିବାକୁ ଲାଗିଲେ। ଏମିତି କିଛି କାଳ ବିତିଗଲା ପରେ ହଠାତ୍ ଆକାଶ ପରିଷ୍କାର ହୋଇଗଲା। ଦିଗ୍‌ବଳୟରେ କୂଳ ଦିଶିଲା। ପ୍ରାର୍ଥନାରତ ଯାତ୍ରୀମାନଙ୍କୁ ବଡ଼ ପାଟିରେ ନାଉରୀ ଜଣକ କହିଲେ- ହେଇ କୂଳ ଦିଶିଗଲା।
ଏବେ ନୌକାରେ ଆନନ୍ଦ ଖେଳିଗଲା। ନୌକାଟିି ମଧ୍ୟ କୂଳରେ ଲାଗି ଗଲା। ଲୋକେ ତହିଁରୁ ଡେଇଁ ପଡ଼ି ଘରକୁ ଯିବାକୁ ବାହାରିଲେ।
ଏହି ସମୟରେ ନାଉରୀ କହିଲେ- ଭଗବାନଙ୍କୁ ପ୍ରାର୍ଥନା କଲା ବେଳେ ବଞ୍ଚିଗଲେ କିଛି ଦେବା ଲାଗି ପ୍ରତିଜ୍ଞା କରି ନାହିଁ ତ? କାରଣ ମୁଁ ଜାଣେ ତୁମେମାନେ ଏବେ ତାହା ପୂରଣ କରିବା ଲାଗି ବିଶେଷ ତତ୍ପର ହେବ ନାହିଁ!
କଥାଟି କହିସାରି ୟୁଜିକେ କହିଲେ-ଆମ ପ୍ରାର୍ଥନାମାନ ସେହିଭଳି। କେବଳ ଭୟ ବା ଅସୁବିଧାରେ ପଡ଼ି‌େଲ ଆମେ ପ୍ରାର୍ଥନା କରୁ। ତେଣୁ ଆମ ପ୍ରାର୍ଥନାର ଉତ୍ତର ଈଶ୍ବର ଦିଅନ୍ତି ନାହିଁ। କାରଣ ଈଶ୍ବର ଏବଂ ମଣିଷଙ୍କ ସଂପର୍କ ଏକ ଦେଣନେଣର ସଂପର୍କ ନୁହେଁ। ମୋତେ ଏୟା ଦେଲେ ମୁଁ ତୁମକୁ ଏୟା ଦେବି ବୋଲି ଆମ ପ୍ରାର୍ଥନା କେବଳ ଦର୍ଶାଏ ଯେ ଆମେ କିଭଳି ଆମ ହୃଦୟକନ୍ଦରରେ ବି ବେପାରୀ ହୋଇ ଯାଇଛୁ।