ଜଣେ ବ୍ୟକ୍ତି କୌଣସି ଏକ କୁକାର୍ଯ୍ୟ କରିବା ପରେ ଗଭୀର ପଶ୍ଚାତ୍ତାପ କଲେ। ତଥାପି ସା‌ନ୍ତ୍ବନା‌ ନ ମିଳିବାରୁ ନିଜ ଗୁରୁଙ୍କ ନିକଟକୁ ଯାଇ ସବୁ କଥା କହିଲେ।
ଗୁରୁ କହିଲେ- କୌଣସି ପଶ୍ଚାତ୍ତାପର କିଛି ମୂଲ୍ୟ ନ ଥାଏ। କାରଣ ଏହା କେବଳ ତୁମ ଅହଂକାରକୁ ଆହୁରି ବଳ ଦେବା ଭଳି କଥା ହୋଇଥାଏ।
ଭଦ୍ରଲୋକ ଏହାର ମର୍ମ ବୁଝି ପାରିଲେ ନାହିଁ। ତେଣୁ ଗୁରୁଙ୍କୁ କହିଲେ- ମୋତେ ଆପଣଙ୍କ କଥା ବୁଝା‌ଇ ଦିଅନ୍ତୁ।
ଗୁରୁ କହିଲେ- ପ୍ରଥମ କଥା ପଶ୍ଚାତ୍ତାପର ଅର୍ଥ ବୁଝିବାକୁ ଚେଷ୍ଟା କର। ଏହାର ଅର୍ଥ ମୁଁ ଯାହା କରି ଦେଇଛି, ସେଥି ଲାଗି ଅନୁତାପ। ପଶ୍ଚାତ୍ତାପ ପଛରେ ଯେଉଁ ଭାବ ରହିଥାଏ ତା’ର ସାର କଥା ହେଲା ଏହା ଯେ ଏମିତି କାମଟିଏ ମୁଁ କରିପାରିଲି କେମିତି? ବା ଏମିତି କାମ ମୋ ଦ୍ବାରା ହେଲା କିଭଳି? ତେଣୁ ମୁଁ ଗଭୀର ଭାବେ ଅନୁତପ୍ତ। ଏହାର ଅର୍ଥ ଏହା ନୁହେଁ କି ମୁଁ ଏଭଳି କାମ କରିବା ଭଳି ଲୋକ ନୁହେଁ ବା ମୁଁ ଜଣେ ଭଲ ଲୋକ, ତେଣୁ କେମିତି ‌େକଜାଣି କେଉଁ ଅପସମୟରେ ଏଭଳି ଭୁଲ୍‌ କରି ବସିଲି? ଏହା ହିଁ ପଶ୍ଚାତ୍ତାପ। ଏହା ହିଁ ନିଜକୁ ବଡ଼ କରି ରଖିବାର ମନୋବୃତ୍ତି। ଏହା ହିଁ ଅହଂକାରକୁ ସଂରକ୍ଷଣ କରିବାର ଏକ ଉପାୟ।
ଗୁରୁ ତା’ପରେ ଟିକିଏ ଚୁପ୍‌ ରହି କହିଲେ- ‌େସଥି ଲାଗି ତ ପଶ୍ଚାତ୍ତାପର ଏକ ଉଦ୍ୟୋଗ ସୃଷ୍ଟି ହୋଇଛି। କୌଣସି ଦୋଷ କରି ତହିଁରୁ ମୁକ୍ତିି ପାଇବାର ଲକ୍ଷଲକ୍ଷ ବାଟ ପ୍ରସ୍ତୁତ ହୋଇଛି। ସେଥି ଲାଗି ଗଙ୍ଗା ବୁଡ଼ ଦେବାକୁ କୋଟି କୋଟି ‌େଲାକ ରୁଣ୍ଡ ହେଉଛନ୍ତି। ଦାନପୁଣ୍ୟ କରି ପାପ ମୋଚନର ବାଟ ଖୋଜୁଛନ୍ତି।
ସେ ବ୍ୟକ୍ତି କହିଲେ- ତାହା ହେଲେ ଉପାୟ?
ଗୁରୁ କହିଲେ- ପଶ୍ଚାତ୍ତାପ ତ ମୂଲ୍ୟହୀନ। ଯାହା ଗୁରୁତ୍ବପୂର୍ଣ୍ଣ ତାହା ହେଲା କୁକାର୍ଯ୍ୟ ନ କରିବା। ସେଥି ଲାଗି ଆବଶ୍ୟକ ପ୍ରତି କ୍ଷଣ ଏକ ସତର୍କ ଜୀବନ ଜିଇବା।